ଦେଶରେ ପ୍ରତି ୧୦ଟିରୁ ଗୋଟିଏ ହତ୍ୟା ପଛରେ ପ୍ରେମ ଓ ଅବୈଧ ସମ୍ପର୍କ, ତାଲିକାର ଶୀର୍ଷରେ ବିହାର, ୟୁପି ଓ ମହାରାଷ୍ଟ୍ର

ନୂଆଦିଲ୍ଲୀ: ନିକଟରେ ପୁନେର ଲୋହାଗଡ଼ ଦୁର୍ଗରୁ ପ୍ରେମିକ ସହ ମିଶି ଭାବୀ ସ୍ୱାମୀଙ୍କୁ ଠେଲି ହତ୍ୟା କରିବା ଭଳି ସଂଗୀନ ଘଟଣା ଦେଶରେ ପ୍ରେମ ଓ ଅବୈଧ ସମ୍ପର୍କ ଜନିତ ଅପରାଧର ଭୟାବହତାକୁ ପୁଣି ସାମ୍ନାକୁ ଆଣିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ର ୨୦୨୪ ବର୍ଷର ରିପୋର୍ଟ ଅନୁସାରେ, ଭାରତରେ ଘଟୁଥିବା ପ୍ରତି ୧୦ଟି ହତ୍ୟାକାଣ୍ଡରୁ ଗୋଟିଏ ମାମଲା ପ୍ରେମ କିମ୍ବା ଅବୈଧ ସମ୍ପର୍କ ଜନିତ ବିବାଦରୁ ହିଁ ଘଟୁଛି। ଦେଶରେ ବର୍ଷକ ମଧ୍ୟରେ ସଂଘଟିତ ମୋଟ ୨୭,୦୪୯ଟି ହତ୍ୟା ମାମଲା ମଧ୍ୟରୁ ୨,୮୦୨ଟି ଏହି କାରଣରୁ ହୋଇଛି, ଯେଉଁଥିରେ କେବଳ ପ୍ରେମ ବ୍ୟାପାର ପାଇଁ ୧,୩୯୧ଟି ଏବଂ ଅବୈଧ ସମ୍ପର୍କରୁ ସୃଷ୍ଟ ବିବାଦ ଯୋଗୁଁ ୧,୪୧୧ଟି ହତ୍ୟାକାଣ୍ଡ ଘଟିଛି। ଏହି ସଂଗୀନ ଅପରାଧ ତାଲିକାରେ ଦେଶର ୮ଟି ରାଜ୍ୟରେ ସ୍ଥିତି ସବୁଠାରୁ ଉଦ୍‌ବେଗଜନକ ରହିଛି। ବର୍ଷକରେ ୩୦୭ଟି ହତ୍ୟା ମାମଲା ସହ ବିହାର ଏହି ତାଲିକାର ସବୁଠାରୁ ଶୀର୍ଷରେ ଥିବା ବେଳେ, ଦେଶର ସବୁଠାରୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶ ୩୦୩ଟି ମାମଲା ସହ ଦ୍ୱିତୀୟ ଏବଂ ପ୍ରମୁଖ ସହରୀକରଣ ରାଜ୍ୟ ମହାରାଷ୍ଟ୍ର ୩୦୨ଟି ମାମଲା ସହ ତୃତୀୟ ସ୍ଥାନରେ ରହିଛି। ଏହା ପଛକୁ ମଧ୍ୟପ୍ରଦେଶରେ ୨୩۸ଟି, ତାମିଲନାଡୁରେ ୨୧୨ଟି, ଆନ୍ଧ୍ରପ୍ରଦେଶରେ ୨୦୭ଟି, ଗୁଜରାଟରେ ୧୯୬ଟି ଏବଂ କର୍ଣ୍ଣାଟକରେ ୧୮୯ଟି ଏଭଳି ହତ୍ୟାକାଣ୍ଡ ରେକର୍ଡ କରାଯାଇଛି। ପଶ୍ଚିମବଙ୍ଗ ଏବଂ କେରଳରେ ମଧ୍ୟ ପ୍ରେମ ଓ ଅବୈଧ ସମ୍ପର୍କ ଜନିତ ହତ୍ୟା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନେଇ ଏନ୍‌ସିଆର୍‌ବି ରିପୋର୍ଟରେ ଚିନ୍ତା ପ୍ରକଟ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button