ଭାରତ ମଣ୍ଡପମ୍‌ରେ ‘ଓଡ଼ିଶା ପାଭିଲିୟନ୍‌’ ଉଦ୍‌ଘାଟିତ

ଭୁବନେଶ୍ବର: ନୂଆଦିଲ୍ଲୀସ୍ଥିତ “ଭାରତ ମଣ୍ଡପମ୍‌’ରେ ଆୟୋଜିତ ୪୫ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇ.ଆଇ.ଟି.ଏଫ୍‌.)-୨୦୨୬ ର ହଲ୍‌-୩ରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓଡ଼ିଶା ପାଭିଲିୟନ୍‌କୁ ଉଦ୍‌ଘାଟନ କରିଛନ୍ତି। ଚଳିତ ବର୍ଷ ମେଳାର ମୁଖ୍ୟ ବିଷୟବସ୍ତୁ “ବିକାଶ ଓ ବିରାସତ୍‌’ (ବିକାଶ ଏବଂ ଐତିହ୍ୟ) ସହ ସମତାଳ ରଖି, ଓଡ଼ିଶା ପାଭିଲିୟନ୍‌କୁ “ଯେଉଁଠାରେ ବିରାସତ୍ ବିକାଶକୁ ଅନୁପ୍ରାଣିତ କରେ’ ଶୀର୍ଷକରେ ପ୍ରଦର୍ଶିତ କରାଯାଇଛି। ଏହା ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପାରମ୍ପରିକ କାରିଗରୀ, ବିବିଧ ସମ୍ପଦ ଏବଂ ଉଦୀୟମାନ ଅର୍ଥନୈତିକ ସୁଯୋଗଗୁଡ଼ିକୁ ବିଶ୍ୱ ଦରବାରରେ ଉଜାଗର କରୁଛି। ଏହି ପାଭିଲିୟନ୍‌ରେ ଓଡ଼ିଶାର ସ୍ୱତନ୍ତ୍ର ହସ୍ତତନ୍ତ, ହସ୍ତଶିଳ୍ପ, ଜି.ଆଇ.-ଟ୍ୟାଗ୍‌ଯୁକ୍ତ ଉତ୍ପାଦ, ଜନଜାତି କଳା, କୃଷିଜାତ ଦ୍ରବ୍ୟ, ଜଙ୍ଗଲଜାତ ସାମଗ୍ରୀ, ଦୁଗ୍ଧଜାତ ଦ୍ରବ୍ୟ, ଗ୍ରାମୀଣ ଉଦ୍ୟୋଗ ଏବଂ ପର୍ଯ୍ୟଟନ ସମ୍ବନ୍ଧୀୟ ସୁବିଧାର ବ୍ୟାପକ ପ୍ରଦର୍ଶନ କରାଯାଇଛି। ରାଜ୍ୟର ବିଭିନ୍ନ ବିଭାଗ, ସଂସ୍ଥା, ସମବାୟ ସମିତି ଏବଂ ଉତ୍ପାଦକ ସଂଗଠନଗୁଡ଼ିକ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରି ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବା ସହିତ ନବସୃଜନ, ଉଦ୍ୟମିତା ଏବଂ ନିରନ୍ତର ବିକାଶ ଆଡ଼କୁ ଅଗ୍ରସର ହେବାର ଯାତ୍ରାକୁ ପ୍ରତିଫଳିତ କରୁଛନ୍ତି। ଉଦ୍‌ଘାଟନୀ ଅବସରରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ସମୃଦ୍ଧ ଐତିହ୍ୟ ଏବଂ ସାମ୍ପ୍ରତିକ ବିକାଶ ଯାତ୍ରାକୁ ଉପସ୍ଥାପନ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ପ୍ରକାଶ କରିଥିଲେ ଯେ, ସମ୍ବଲପୁରୀ ବସ୍ତ୍ର, ସୂତା, ଟସର ଓ ରେଶମ ସାମଗ୍ରୀ, ପଟ୍ଟଚିତ୍ର, ତାଳପତ୍ର ଖୋଦେଇ କଳା, ରୂପା ତାରକସି କାମ, ଢୋକ୍ରା ଶିଳ୍ପ, ପଥର ଓ କାଠ ଖୋଦେଇ, ଆପ୍ଲିକ୍ (ଚାନ୍ଦୁଆ) କାମ ଏବଂ ଅନ୍ୟାନ୍ୟ ପାରମ୍ପରିକ କଳାକୃତି ରାଜ୍ୟର କାରିଗରମାନଙ୍କ ଅସାଧାରଣ ଦକ୍ଷତାକୁ ପ୍ରଦର୍ଶିତ କରୁଛି। ବିଶେଷ କରି ରୂପା ତାରକସି, ଢୋକ୍ରା ଶିଳ୍ପ, ପଥର ଖୋଦେଇ ଏବଂ ପାରମ୍ପରିକ ବୁଣାକାର୍ଯ୍ୟର ପ୍ରତ୍ୟକ୍ଷ ପ୍ରଦର୍ଶନ ଏହାର ଆକର୍ଷଣକୁ ଦ୍ୱିଗୁଣିତ କରୁଥିବାବେଳେ ବ୍ଲକଚେନ୍ ଜ୍ଞାନକୌଶଳ ସମ୍ବଳିତ ହସ୍ତତନ୍ତ ବୁଣାକାର୍ଯ୍ୟ ପାରମ୍ପରିକ କଳାକୌଶଳ ସହିତ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସମନ୍ୱୟକୁ ସ୍ପଷ୍ଟ ଭାବେ ଦର୍ଶାଉଛି। ଏହି ମେଳାରେ “ମିଶନ ଶକ୍ତି’ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସବାଇ ଘାସରୁ ତିଆରି ସାମଗ୍ରୀ, ଆଦିବାସୀ ଅଳଙ୍କାର, ପେପର ମାଚେ, ମାଣ୍ଡିଆ ଜାତୀୟ ସାମଗ୍ରୀ, ଖାଇବା ପାଇଁ ପ୍ରସ୍ତୁତ ଖାଦ୍ୟ ପଦାର୍ଥ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସାମଗ୍ରୀ ପରି ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ପ୍ରଦର୍ଶିତ ହେଉଛି। ସେହିପରି “ଓରମାସ୍‌’ ଗ୍ରାମୀଣ ଉଦ୍ୟୋଗୀତାର ଶକ୍ତିକୁ ପ୍ରତିଫଳିତ କରୁଥିବା ଗୋଲଡେନ୍ ଗ୍ରାସ୍ (ସୁବର୍ଣ୍ଣ ଘାସ) ସାମଗ୍ରୀ, ବିଭିନ୍ନ ମସଲା, ମାଣ୍ଡିଆ ଜାତୀୟ ଉତ୍ପାଦ, ଆଚାର, ମହୁଲ ଜାତୀୟ ସାମଗ୍ରୀ ଏବଂ ନଡ଼ିଆ କତା ଭଳି ସାମଗ୍ରୀଗୁଡ଼ିକୁ ପ୍ରଦର୍ଶନ କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button