ଆଇଏସ୍ଆଇ ସଂପୃକ୍ତି ଅଭିଯୋଗରେ ପଞ୍ଜାବରୁ ଦୁଇ ସନ୍ଦିଗ୍ଧ ଗିରଫ

ନୂଆଦିଲ୍ଲୀ: ପଞ୍ଜାବର ଗୁରୁଦାସପୁର ଜିଲ୍ଲାରୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ (ISI) ସହ ସିଧାସଳଖ ସମ୍ପର୍କ ଥିବା ଅଭିଯୋଗରେ ଦୁଇଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଜିଲ୍ଲାରେ ଗତ ନଭେମ୍ବର ୩ ତାରିଖରେ ଘଟିଥିବା ରେଳଧାରଣା ବିସ୍ଫୋରଣ ମାମଲାରେ ଏହି କାର୍ାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜସ୍ଥାନ ଆଣ୍ଟି-ଟେରର ସ୍କ୍ୱାଡ୍ (ATS), ଶ୍ରୀ ଗଙ୍ଗାନଗର ପୋଲିସ ଏବଂ ପଞ୍ଜାବ ପୋଲିସର ମିଳିତ ଅଭିଯାନରେ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ୨୧ ବର୍ଷୀୟା ମହକଦୀପ କୌର ଏବଂ ୨୨ ବର୍ଷୀୟ ଦବିନ୍ଦର ସିଂହ। ତଦନ୍ତରୁ ଜଣାପଡିଛି ଯେ ମହକଦୀପ କୌର ପାକିସ୍ତାନରେ ଥିବା ‘ଚାଚା’ ଏବଂ ‘ଶାହ’ ନାମକ ଦୁଇଜଣ ହ୍ୟାଣ୍ଡେଲରଙ୍କ ସଂସ୍ପର୍ଶରେ ଥିଲେ। ସ୍ବାମୀଙ୍କଠାରୁ ଅଲଗା ରହୁଥିବା ମହକଦୀପଙ୍କୁ ଆର୍ଥିକ ପ୍ରଲୋଭନ ଦେଖାଇ ପାକିସ୍ତାନୀ ଏଜେଣ୍ଟମାନେ ଫାଶରେ ପକାଇଥିଲେ। ସୀମାନ୍ତ ଅଞ୍ଚଳରେ ଅସହାୟ ମହିଳାମାନଙ୍କୁ ଟାର୍ଗେଟ କରିବା ପାଇଁ ଏହା ଏକ ପୁରୁଣା କୌଶଳ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି। ପୋଲିସ ଚଢ଼ଉ ବେଳେ ମହକଦୀପଙ୍କ ନିକଟରୁ ଦୁଇଟି ବନ୍ଧୁକ, ୪୬ଟି ଜୀବନ୍ତ ଗୁଳି ଏବଂ ନଗଦ ୩୦,୦୦୦ ଟଙ୍କା ଜବତ କରାଯାଇଛି। ଏହାଛଡ଼ା ମୁଖ୍ୟ ଅଭିଯୁକ୍ତଙ୍କୁ ଆଶ୍ରୟ, ମୋଟରସାଇକେଲ ଏବଂ ସ୍ଥାନୀୟ ପରିବହନ ଯୋଗାଇଥିବା ସନ୍ଦେହରେ ଅନ୍ୟ ତିନିଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି। ଗତ ନଭେମ୍ବର ୩ ତାରିଖ ରାତି ପ୍ରାୟ ୯:୪୫ ସମୟରେ ଶ୍ରୀ ଗଙ୍ଗାନଗରର ଅନୁପଗଡ଼–ସୁରତଗଡ଼ ରେଳ ଲାଇନର ରାମସିଂହପୁର ନିକଟରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଦୁଇଟି ରେଳ ସ୍ଲିପର ଭାଙ୍ଗିଯିବା ସହ ପ୍ରାୟ ଅଢ଼େଇ ଫୁଟ ଗଭୀର ଗର୍ତ୍ତ ସୃଷ୍ଟି ହୋଇଥିଲା। ତେବେ ବିସ୍ଫୋରଣ ହେବାର ୪୫ରୁ ୭୫ ମିନିଟ୍ ପୂର୍ବରୁ ଏକ ପାସେଞ୍ଜର ଟ୍ରେନ୍ ସେହି ରାସ୍ତାରେ ଯାଇଥିବାରୁ ଏକ ବଡ଼ଧରଣର ଜୀବନହାନି ଅଳ୍ପକେ ଟଳିଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button