ପ୍ରଧାନମନ୍ତ୍ରୀଙ୍କ କର୍ଣ୍ଣାଟକ ଗସ୍ତ ପାଇଁ ନିୟୋଜିତ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କର୍ଣ୍ଣାଟକ ଗସ୍ତ ସମୟରେ ତାଙ୍କ ସୁରକ୍ଷା ଓ ଯାତ୍ରା ପାଇଁ ନିୟୋଜିତ ଭାରତୀୟ ବାୟୁସେନାର ଏକ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି। ମହୀଶୂରର ଜୟଚାମରାଜା ୱାଡିୟାର ହେଲିପ୍ୟାଡରେ ଏହି ଘଟଣାଘଟିଛି। ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଅପରାହ୍ଣ ପ୍ରାୟ ୩ଟା ୨୦ ମିନିଟରେ ମହୀଶୂରରେ ପହଞ୍ଚି କୋସ୍‌ମୋସ୍‌- ମହୀଶୂର ତାରାମଣ୍ଡଳର ଉଦ୍‌ଘାଟନ କରିଥିଲେ। ଏହି ଗସ୍ତ ନିମନ୍ତେ ମୋଟ୍ ତିନୋଟି ହେଲିକପ୍ଟର ହେଲିପ୍ୟାଡରେ ଅବତରଣ କରିଥିଲା। କାର୍ଯ୍ୟକ୍ରମ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ସଦସ୍ୟମାନେ ପରବର୍ତ୍ତୀ ଗନ୍ତବ୍ୟସ୍ଥଳକୁ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ସେଥିମଧ୍ୟରୁ ଗୋଟିଏ ହେଲିକପ୍ଟରରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା। ତେବେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସହଯୋଗୀମାନେ ଅବଶିଷ୍ଟ ଦୁଇଟି ହେଲିକପ୍ଟର ମଧ୍ୟରୁ ଗୋଟିଏରେ ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିଲେ। ଅଚଳ ହୋଇଥିବା ହେଲିକପ୍ଟରଟି ହେଲିପ୍ୟାଡରେ ରହିଯାଇଥିବାବେଳେ ସ୍ଥାନୀୟ ପୁଲିସ ଓ ସୁରକ୍ଷାକର୍ମୀମାନେ ସେହି ଅଞ୍ଚଳକୁ ଘେରାଉ କରି କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖିଛନ୍ତି। ବୈଷୟିକ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତ୍ରୁଟି ଯାଞ୍ଚ କରୁଛନ୍ତି। ତେବେ ତ୍ରୁଟିର ପ୍ରକୃତି ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button