ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି: ମୃତ ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ୭କୁ ବୃଦ୍ଧି, ସହାୟତା ରାଶି ୧୦ ଲକ୍ଷକୁ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁରରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଛି। ଚିକିତ୍ସାଧୀନ ଅବସ୍ଥାରେ ସଦର ଥାନା ଅନ୍ତର୍ଗତ କୋଡ଼ିପଶା ଗ୍ରାମର ସଜନୀ ଜୁଆଙ୍ଗଙ୍କର ପ୍ରାଣହାନି ଘଟିଛି। ମୃତଦେହଗୁଡ଼ିକୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଜଣେ ଅଧିକାରୀଙ୍କୁ ତାମିଲନାଡୁ ପଠାଯାଇଛି ଏବଂ ଆଜି ସନ୍ଧ୍ୟା ସୁଦ୍ଧା ମୃତଦେହ ଭୁବନେଶ୍ୱରରେ ପହଞ୍ଚିବ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତକଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସହାୟତା ରାଶିକୁ ୪ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଗତ ରବିବାର ଦିନ ତିରୁଭଲ୍ଲୁର ଜିଲ୍ଲା ପେରିଆପାଲାୟମ ନିକଟସ୍ଥ ‘ସେଣ୍ଟ ପିଟର୍ସ ପଲ୍ ସିଫୁଡ୍ ଏକ୍ସପର୍ଟ’ ନାମକ ଏକ ସାମୁଦ୍ରିକ ଖାଦ୍ୟ ରପ୍ତାନି କାରଖାନାରେ ଏହି ଭୟାବହ ଗ୍ୟାସ ଲିକ୍ ହୋଇଥିଲା। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୯ ଜଣ ଶ୍ରମିକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସ୍ଥିତିର ଅନୁଧ୍ୟାନ ଓ ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କ ସହାୟତା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ତାମିଲନାଡୁରେ ଉପସ୍ଥିତ ରହି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button