ଡାକ୍ତରୀ ଛାତ୍ରୀ ମୃତ୍ୟୁ ମାମଲା: ୨ ଦିନିଆ ରିମାଣ୍ଡରେ ପ୍ରେମିକ ଭୀମସେନ, ସତ ଓଗାଳିବାକୁ ମିଛଧରା ପରୀକ୍ଷା କରିପାରେ ପୋଲିସ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାର ଅଧିକ ଖୋଳତାଡ଼ ପାଇଁ କମିଶନରେଟ ପୋଲିସ ତତ୍ପରତା ପ୍ରକାଶ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମୃତ ଛାତ୍ରୀଙ୍କ ପ୍ରେମିକ ଭୀମସେନ ଟୁଡୁଙ୍କୁ ବାରଙ୍ଗ ପୋଲିସ ୨ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ଆରମ୍ଭ କରିଛି। ଏହି ମାମଲାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କ ‘ଲାଇ-ଡିଟେକ୍ସନ’ ବା ମିଛ ଧରା ପରୀକ୍ଷା କରାଯିବ ବୋଲି କଟକ ଡିସିପି ରିଷିକେଶ ଖିଲାରୀ ସୂଚନା ଦେଇଛନ୍ତି। ଗତ ଜୁନ୍ ୪ ତାରିଖରେ କାଠଯୋଡ଼ି ନିକଟରୁ ଚନ୍ଦ୍ରିକାଙ୍କ ମୃତଦେହ ମିଳିବା ପରେ ପୋଲିସ ଭୀମସେନଙ୍କୁ ଗିରଫ କରିଥିଲା। ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ମୟୂରଭଞ୍ଜର ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ପେତୃକ ଗ୍ରାମକୁ ଯାଇ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି। ପରିବାର ପକ୍ଷରୁ ଅଭିଯୋଗ ହୋଇଛି ଯେ, ଭୀମସେନ ବିବାହର ପ୍ରତିଶ୍ରୁତି ଦେଇ ଚନ୍ଦ୍ରିକାଙ୍କଠାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ବିବାହ କରିବାକୁ ମନା କରିଦେଇଥିଲେ। ଏହି ପ୍ରତାରଣାରେ ଭୀମସେନଙ୍କ ପରିବାରର ମଧ୍ୟ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ସାଇବର ଓ ବୈଷୟିକ ଯାଞ୍ଚ ସମୟରେ ପୋଲିସ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଲାଗିଛି। ମୃତ ଛାତ୍ରୀଙ୍କ ମୋବାଇଲ୍‌ ଫୋନରୁ ହ୍ୱାଟସଆପ୍ ଚାଟ୍‌, ଫଟୋ ଓ ଅଡିଓ ରେକର୍ଡିଂ ଜବତ କରାଯାଇଛି, ଯାହା ଚନ୍ଦ୍ରିକାଙ୍କ ସହ ଭୀମସେନଙ୍କ ପରିବାରର ନିବିଡ଼ ସମ୍ପର୍କ ଥିବା ପ୍ରମାଣିତ କରୁଛି। ବର୍ତ୍ତମାନ ସିଡିଆର୍ (CDR) ଏବଂ ସିସିଟିଭି ଫୁଟେଜ୍ ଆଧାରରେ ଘଟଣା ଦିନ ଚନ୍ଦ୍ରିକାଙ୍କ ଗତିବିଧିକୁ ଅନୁଧ୍ୟାନ କରାଯାଉଛି। ଏହି ସମ୍ବେଦନଶୀଳ ମାମଲାରେ ଯେଉଁମାନଙ୍କର ସମ୍ପୃକ୍ତି ସାମ୍ନାକୁ ଆସିବ, ସେମାନଙ୍କୁ ପଚରାଉଚରା ପାଇଁ ଡକାଯିବ ଏବଂ ନିର୍ଦ୍ଧାରିତ ୯୦ ଦିନ ପୂର୍ବରୁ ହିଁ କୋର୍ଟରେ ଚାର୍ଜଶିଟ୍ ଦାଖଲ କରିବାକୁ ପୋଲିସ ଲକ୍ଷ୍ୟ ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button