ବିଧାନସଭା ଶୀତ ଅଧିବେଶନ: କୋଟିଆ ଓ ବାତ୍ୟା ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଥିବା ସପ୍ତଦଶ ଓଡ଼ିଶା ବିଧାନସଭାର ଅଷ୍ଟମ ତଥା ଶୀତକାଳୀନ ଅଧିବେଶନର ପ୍ରଥମ ଦିନରୁ ହିଁ ଗୃହ ସରଗରମ ହୋଇଉଠିଛି। ଶୋକ ପ୍ରସ୍ତାବରୁ ଆରମ୍ଭ ହୋଇଥିବା ଗୃହ କାର୍ଯ୍ୟ ବିରୋଧୀଙ୍କ ପ୍ରବଳ ପ୍ରତିବାଦ ଓ ହଟ୍ଟଗୋଳ ମଧ୍ୟରେ ଶେଷ ହୋଇଛି, ଫଳରେ ପ୍ରଥମ ଦିନର ପ୍ରଶ୍ନକାଳ ସମ୍ପୂର୍ଣ୍ଣ ଧୋଇଯାଇଛି। ଅଧିବେଶନ ଆରମ୍ଭରେ ଦିବଂଗତ ଜନପ୍ରତିନିଧି, ସହିଦ ପୋଲିସ କର୍ମଚାରୀ ଏବଂ ବାତ୍ୟା ଓ ଭୂସ୍ଖଳନରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ସହ ନୀରବ ପ୍ରାର୍ଥନା କରାଯାଇଥିଲା। ତେବେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବାତ୍ୟା ପରିଚାଳନା ଓ କୋଟିଆ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଥିଲେ। ବାତ୍ୟା ‘ଅର୍ଣ୍ଣବ’ରେ ହୋଇଥିବା ଜୀବନହାନିକୁ ନେଇ ବିଜେଡି ସଦସ୍ୟମାନେ ସରକାରଙ୍କୁ ଟାର୍ଗେଟ୍ କରିଥିବାବେଳେ, କୋଟିଆର ସ୍ୱାଭିମାନ ପ୍ରସଙ୍ଗ ଉଠାଇ କଂଗ୍ରେସ ପ୍ରତିବାଦ କରିଥିଲା। ଅନ୍ୟପଟେ, ବିରୋଧୀଙ୍କ ଏହି ଅଭିଯୋଗକୁ ପ୍ରଶ୍ନକାଳରୁ ନଜର ହଟାଇବାର ଏକ ଉଦ୍ୟମ ବୋଲି ଦର୍ଶାଇ ଶାସକ ବିଜେପି ପାଲଟା ଆକ୍ରମଣ କରିଥିଲା। ଗୃହ ମଧ୍ୟରେ ପ୍ରବଳ ହୋହଲ୍ଲା, ପ୍ଲାକାର୍ଡ ପ୍ରଦର୍ଶନ ଏବଂ କକ୍ଷତ୍ୟାଗ ଯୋଗୁଁ ଅଚଳାବସ୍ଥା ସୃଷ୍ଟି ହେବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button