ଭୀଷଣ ବାତ୍ୟାର ରୂପ ନେଲା ‘ଅକ୍ୱାନ’: ନରସାପୁର ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଅକ୍ୱାନ’ ଏବେ ଏକ ଭୀଷଣ ବାତ୍ୟାର ରୂପ ନେଇଛି। ଆଜି ସକାଳ ୫:୩୦ ମିନିଟ୍ ସମୟରେ ମିଳିଥିବା ପର୍ଯ୍ୟବେକ୍ଷଣ ଅନୁଯାୟୀ, ଏହା ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଆଗକୁ ବଢ଼ୁଛି। ପାଣିପାଗ ଆକଳନ ଅନୁଯାୟୀ, ନରସାପୁର ଓ ପୁରୀ ମଧ୍ୟରେ ଏହାର ଲ୍ୟାଣ୍ଡଫଲ୍ (ସ୍ଥଳଭାଗ ଅତିକ୍ରମ) ସମ୍ଭାବନା ରହିଛି ଏବଂ ଏହା ଉତ୍ତର ଆନ୍ଧ୍ର, ୟେନମ ତଥା ଦକ୍ଷିଣ ଓଡ଼ିଶା ଉପକୂଳ ଆଡକୁ ମୁହାଁଉଛି। ବର୍ତ୍ତମାନ ‘ଅକ୍ୱାନ’ ବିଶାଖାପାଟଣାଠାରୁ ୬୧୦ କି.ମି. ଏବଂ ଗୋପାଳପୁରଠାରୁ ୭୩୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨୦ ତାରିଖ ଶୁକ୍ରବାର ଦ୍ୱିପ୍ରହର ବେଳକୁ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଏବଂ ଟୁନି ଉପକୂଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୪୫ କିଲୋମିଟର ରହିପାରେ ବୋଲି ଆଶା କରାଯାଉଛି। ଏହି ବାତ୍ୟାର ପ୍ରଭାବରେ ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଆଜି ସନ୍ଧ୍ୟା ପରଠାରୁ ଓଡ଼ିଶାରେ ପବନର ବେଗ କ୍ରମଶଃ ବୃଦ୍ଧି ପାଇବ ଏବଂ ୨୦ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ସର୍ବାଧିକ ପବନର ବେଗ ୭୦ କି.ମି. ରହିବା ନେଇ ଆକଳନ କରାଯାଇଛି। ଏହାଛଡ଼ା ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇବ।



