ଚେନ୍ନାଇ ଗ୍ରୀନୱେଜ୍ ରୋଡ୍‌ର ‘ପମାନି ଇଲ୍ଲମ୍‌’ ହେଲା ମୁଖ୍ୟମନ୍ତ୍ରୀଙ୍କ ନୂଆ ସରକାରୀ ବାସଭବନ

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ମୁଖ୍ୟମନ୍ତ୍ରୀ ସି. ଯୋସେଫ୍ ବିଜୟ ଚେନ୍ନାଇର ଗ୍ରୀନୱେଜ୍ ରୋଡ୍‌ସ୍ଥିତ ନୂଆ ସରକାରୀ ବାସଭବନକୁ ସ୍ଥାନାନ୍ତରିତ ହୋଇଛନ୍ତି। ‘ପମାନି ଇଲ୍ଲମ୍‌’ ନାମକ ଏହି ନୂଆ ଠିକଣାକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସହିତ ଏକ କ୍ୟାମ୍ପ କାର୍ଯ୍ୟାଳୟ ଭାବେ ମଧ୍ୟ ବ୍ୟବହାର କରାଯିବ। ଗତ ଗୁରୁବାର ଏଠାରେ ସ୍ୱତନ୍ତ୍ର ପୂଜାପାଠ ଅନୁଷ୍ଠିତ ହୋଇଯାଇଛି। ରାଜା ଅନ୍ନାମଲାଇପୁରମ୍‌ ଅଞ୍ଚଳରେ ଅବସ୍ଥିତ ଏହି ନୂଆ ବାସଭବନକୁ ଓହ୍ଲାଇବା ପଛରେ ମୁଖ୍ୟ କାରଣ ହେଉଛି ଯାତାୟାତ ସମସ୍ୟା ହ୍ରାସ କରିବା। ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜୟ ନୀଳାଙ୍କରାଇସ୍ଥିତ ନିଜ ବ୍ୟକ୍ତିଗତ ବାସଭବନରୁ ଫୋର୍ଟ ସେଣ୍ଟ ଜର୍ଜସ୍ଥିତ ସଚିବାଳୟକୁ ଯାତାୟାତ କରୁଥିଲେ, ଯାହାକି ଗୋଟିଏ ପଟକୁ ପ୍ରାୟ ୨୫ କିଲୋମିଟର ଦୂର ଥିଲା। ଏବେ ନୂଆ ବାସଭବନରୁ ସଚିବାଳୟର ଦୂରତା ମାତ୍ର ୯ କିଲୋମିଟରକୁ ହ୍ରାସ ପାଇଛି। ମୁଖ୍ୟମନ୍ତ୍ରୀଙ୍କ ଯାତାୟାତ ସମୟରେ ସୁରକ୍ଷା ବ୍ୟବସ୍ଥା ଓ କାର୍ଯ୍ୟାଳୟ ସମୟରେ ରାସ୍ତାରେ ହେଉଥିବା ଟ୍ରାଫିକ୍ ଭିଡ଼କୁ ଏହା କମାଇବାରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି। ପୂର୍ତ୍ତ ବିଭାଗ ଦ୍ୱାରା ନବୀକରଣ କରାଯାଇଥିବା ଏହି ବାସଭବନରେ ଏକ ବ୍ୟକ୍ତିଗତ ଜିମ୍, ବ୍ୟାଡମିଣ୍ଟନ୍‌ କୋର୍ଟ, ସୁନ୍ଦର ଲନ୍ ଏବଂ ଉଚ୍ଚସ୍ତରୀୟ ସୁରକ୍ଷା କର୍ମଚାରୀଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଅନ୍ୟପକ୍ଷରେ, ଫୋର୍ଟ ସେଣ୍ଟ ଜର୍ଜ ପରିସରରେ ଥିବା ନମକ୍କଲ କଭିଗନାର୍ ମାଲଗାଇର ଦଶମ ମହଲାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଇଁ ନବୀକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଏହାର କାମ ସମ୍ପୂର୍ଣ୍ଣ ହେବା ପରେ ସେଠାରୁ ସରକାରୀ କାର୍ଯ୍ୟାଳୟ ପରିଚାଳନା କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button