ଭିଜିଲାନ୍ସ ଜାଲରେ ବାଲିଆପାଳ ସବ୍ରେଜିଷ୍ଟ୍ରାର

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଏକ ବଡ଼ଧରଣର ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି। ଜମି ପଞ୍ଜୀକରଣ ଭଳି ଏକ ସରକାରୀ ସେବା ଯୋଗାଇଦେବା ପାଇଁ ଜଣେ ସାଧାରଣ ନାଗରିକଙ୍କଠାରୁ ଲାଞ୍ଚ ନେଉଥିବା ଅବସ୍ଥାରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲିଆପାଳର ପ୍ରୋବେସନ୍ ସବ୍ରେଜିଷ୍ଟ୍ରାର ମନୀଷା ମିଶ୍ର। ଠିକ୍ କାମ ପାଇଁ ଅର୍ଥ ଦାବି କରିବା ଏବଂ ଜନସାଧାରଣଙ୍କୁ ହଇରାଣ କରୁଥିବା ଏଭଳି ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ପ୍ରାପ୍ତ ସୂଚନା ମୁତାବକ, ଜଣେ ଜମି କ୍ରେତା ନିଜର ଆବଶ୍ୟକତା ପାଇଁ ୦.୧୪ ଏକର ପରିମିତ ବାଜ୍ୟାପ୍ତି ସ୍ଥିତିବାନ କିସମର ଏକ ଜମି କ୍ରୟ କରିଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ପଷ୍ଟ ନିୟମ ଓ ନିର୍ଦ୍ଦେଶାବଳୀ ରହିଛି ଯେ ଏହି କିସମର ଜମିକୁ ସ୍ଥିତିବାନ ଭାବେ ବିବେଚନା କରାଯାଇ ଆଇନଗତ ଭାବେ ପଞ୍ଜୀକରଣ କରାଯାଇପାରିବ। ମାତ୍ର ସବ୍ରେଜିଷ୍ଟ୍ରାର ଜଣକ ଏହି ସରକାରୀ ନିୟମକୁ ଜାଣିଶୁଣି ଅଗ୍ରାହ୍ୟ କରିଥିଲେ। କ୍ରେତା ଜଣକ ବିଭାଗୀୟ କାଗଜପତ୍ର ଓ ନିର୍ଦ୍ଦେଶାବଳୀ ଦର୍ଶାଇ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସବ୍ରେଜିଷ୍ଟ୍ରାର ମନୀଷା ମିଶ୍ର କୌଣସି କଥାକୁ କର୍ଣ୍ଣପାତ କରିନଥିଲେ। ବରଂ ଉକ୍ତ ଜମିର କବଲା ପଞ୍ଜୀକରଣ କରିବା ପାଇଁ ସେ ପ୍ରଥମେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।



