ସୁପ୍ରିମକୋର୍ଟଙ୍କ ସିଜିଆଇଙ୍କ ବିରୋଧରେ ପୋଷ୍ଟ: କେରଳ କଂଗ୍ରେସକୁ କୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି (ସିଜିଆଇ)ଙ୍କ ସମ୍ପର୍ଣ୍ଣରେ କେରଳ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆ ଏକ୍ସ (X)ରେ କରାଯାଇଥିବା ଏକ ଅପମାନଜନକ ପୋଷ୍ଟକୁ ଗ୍ରହଣ କରି ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ କେରଳ କଂଗ୍ରେସର ସମସ୍ତ ପ୍ରମୁଖ ପଦାଧିକାରୀଙ୍କୁ ନୋଟିସ୍ ଜାରି କରିଛନ୍ତି ଏବଂ ସେମାନଙ୍କ ବିରୋଧରେ କାହିଁକି ଅଦାଲତ ଅବମାନନା ମାମଲା ଚଲାଯିବ ନାହିଁ, ସେ ନେଇ ଜବାବ ମାଗିଛନ୍ତି। ଶୁଣାଣି ସମୟରେ କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, “ଆମେ ନିଜ ଉପରେ ନିୟନ୍ତ୍ରଣ ରଖୁଛୁ, ମାତ୍ର ଏହାକୁ ଆମର ଦୁର୍ବଳତା ବୋଲି ଭାବନ୍ତୁ ନାହିଁ।” ଅଭିବ୍ୟକ୍ତିର ସ୍ୱାଧୀନତା ନାଁରେ ଯାହାଚାହେଁ ତାହା କହିବା କଦାପି ଗ୍ରହଣୀୟ ନୁହେଁ ବୋଲି କୋର୍ଟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସମ୍ବିଧାନ ସର୍ବୋଚ୍ଚ ଅଟେ ଏବଂ କୋର୍ଟ ସମ୍ବିଧାନର ପରିସର ମଧ୍ୟରେ ରହି ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି ବୋଲି ସ୍ପଷ୍ଟ କରି କୋର୍ଟ କହିଛନ୍ତି ଯେ କୌଣସି ରାଜନୈତିକ ଦଳ କିମ୍ବା ସଂସ୍ଥାର ସହମତି ସେମାନଙ୍କ ପାଇଁ ଜରୁରୀ ନୁହେଁ। ଅଦାଲତର ଗରିମା ଉପରେ କୌଣସି ପ୍ରକାରର ଆଘାତକୁ କଡ଼ା ମୁକାବିଲା କରାଯିବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି। ଆଗାମୀ ନଭେମ୍ବର ୧୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି। କେରଳ କଂଗ୍ରେସ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ କୋର୍ଟରେ ପ୍ରକାଶ କରିଛନ୍ତି ଯେ ସେମାନେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରି ସତ୍ୟପାଠ ଦାଖଲ କରିବେ। ତେବେ କୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ ପଦାଧିକାରୀମାନଙ୍କୁ ବ୍ୟକ୍ତିଗତ ହାଜରାରୁ ଛାଡ଼ ପ୍ରଦାନ କରିଛନ୍ତି। ଏହି ମାମଲାରେ ସହଯୋଗ କରିବା ପାଇଁ ବରିଷ୍ଠ ଆଇନଜୀବୀ ଅରବିନ୍ଦ ଦାତାର ଏବଂ ଗୌରବ ଅଗ୍ରୱାଲଙ୍କୁ ଆମିକସ୍ କୁରି (ନ୍ୟାୟିକ ମିତ୍ର) ଭାବେ ନିଯୁକ୍ତ କରାଯିବା ସହ ଆଟର୍ଣ୍ଣି ଜେନେରାଲଙ୍କୁ ମଧ୍ୟ କୋର୍ଟଙ୍କୁ ସହାୟତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।



