ୟୁରୋପୀୟ ଆକାଶମାର୍ଗରେ ବୋମା ଆତଙ୍କ: ଏକାଧିକ ଯାତ୍ରୀବାହୀ ବିମାନକୁ ଧମକ

ନୂଆଦିଲ୍ଲୀ: ୟୁରୋପର ବିଭିନ୍ନ ଦେଶର ଆକାଶ ମାର୍ଗରେ ବୋମା ଆତଙ୍କ ଦେଖାଦେଇଛି। ଗୋଟିଏ ପରେ ଗୋଟିଏ ଯାତ୍ରୀବାହୀ ବିମାନକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏକାଧିକ ବିମାନର ଗତିପଥ ବଦଳାଇ ଜରୁରୀ ଅବତରଣ କରାଯାଇଥିବା ବେଳେ ଏହି ଘଟଣା ସମଗ୍ର ୟୁରୋପରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଫ୍ରାନ୍ସ, ବୁଲଗେରିଆ, ବେଲଜିୟମ ଓ ଇଟାଲୀ ସମେତ ବିଭିନ୍ନ ଦେଶର ବିମାନବନ୍ଦରରେ ସତର୍କତା ଜାରି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆୟର୍ଲାଣ୍ଡର ଡବଲିନରୁ ଇଟାଲୀର ରୋମ୍ ଅଭିମୁଖେ ଯାଉଥିବା ଏର୍ ଲିଙ୍ଗସର ଏକ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଫ୍ରାନ୍ସ ଆଡ଼କୁ ଡାଇଭର୍ଟ କରାଯାଇଥିଲା। ପ୍ୟାରିସଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ଏଭ୍ରୋ ସାମରିକ ବିମାନଘାଟିରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ସେହି ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପରେ ବୋମା ନିଷ୍କ୍ରିୟକାରୀ ଦଳ ପକ୍ଷରୁ ବିମାନଟିର କାଗଜପତ୍ର ଓ ଯାଞ୍ଚ କରାଯାଇଥିଲା। ସେହିପରି ବୁଲଗେରିଆରେ ତିନୋଟି ବିମାନକୁ ବୋମା ଧମକ ମିଳିବା ଫଳେରେ ସେଗୁଡ଼ିକୁ ଜରୁରୀ ଅବତରଣ କରାଯାଇଥିଲା। ଡେନମାର୍କର କୋପେନହେଗେନ୍ ଓ ସ୍ପେନର ମାଡ୍ରିଡରୁ ଆସୁଥିବା ଦୁଇଟି ବିମାନ ସୋଫିଆ ବିମାନବନ୍ଦରରେ ଅବତରଣ କରିଥିବା ବେଳେ ଲଣ୍ଡନରୁ ଆସୁଥିବା ଅନ୍ୟ ଏକ ବିମାନକୁ ପ୍ଲୋଭଦିଭ୍ ବିମାନବନ୍ଦରକୁ ପଠାଯାଇଥିଲା। ସେହିପରି ଫିନଲ୍ୟାଣ୍ଡର ହେଲସିଙ୍କିରୁ ରୋମ୍ ଯାଉଥିବା ଅନ୍ୟ ଏକ ବିମାନକୁ ମଧ୍ୟ ବୋମା ଧମକ ମିଳିଥିଲା। ପରେ ଇଟାଲୀ ବାୟୁସେନାର ଦୁଇଟି ଯୁଦ୍ଧବିମାନ ଏହାକୁ ସୁରକ୍ଷା ଦେଇ ନିରାପଦରେ ରୋମ୍ ବିମାନବନ୍ଦର ପର୍ଯ୍ୟନ୍ତ ନେଇଥିଲେ। ଅନ୍ୟପଟେ ପୋଲାଣ୍ଡର ଏକ ବିମାନ ବେଲଜିୟମର ବ୍ରସେଲ୍ସରେ ଅବତରଣ କରିଥିବା ଜଣାପଡ଼ିଛି। ଚେକ୍ ରିପବ୍ଲିକ୍ ପ୍ରାଗ୍ ଅଭିମୁଖେ ଯାଉଥିବା ଆଉ କିଛି ବିମାନକୁ ମଧ୍ୟ ସମାନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ତେବେ ତୁରନ୍ତ ତଦନ୍ତ ଓ ଯାଞ୍ଚ ପରେ ସେଗୁଡ଼ିକରୁ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ସାମଗ୍ରୀ ମିଳିନଥିବା ସ୍ଥାନୀୟ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button