ଆମେରିକାରେ ଦେଶବ୍ୟାପୀ ବିମାନ ଚଳାଚଳ ବାଧାପ୍ରାପ୍ତ, ସମସ୍ତ ବିମାନ ବାତିଲ୍

ନୂଆଦିଲ୍ଲୀ: ଆମେରିକାରେ ବିମାନ ଚଳାଚଳରେ ଏକ ବଡ଼ଧରଣର ବିଭ୍ରାଟ ଦେଖାଦେଇଛି। ଆକାଶରେ ଉଡ଼ିବାକୁ ପ୍ରସ୍ତୁତ ଥିବା ବିମାନଗୁଡ଼ିକର ଉଡ଼ାଣ ଉପରେ ହଠାତ୍ ରୋକ୍ ଲଗାଯିବାରୁ ବିଭିନ୍ନ ବିମାନବନ୍ଦରରେ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ବ୍ୟବସ୍ଥାରେ ଯୋଗାଯୋଗଜନିତ ସମସ୍ୟା ଦେଖାଦେବା ପରେ, ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଗ୍ରେ ରଖି ଆମେରିକାର ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ଏହି ଦେଶବ୍ୟାପୀ କଟକଣା ଜାରି କରିଥିଲା। ଗତ ନଭେମ୍ବର ୧୩ ତାରିଖ ଶୁକ୍ରବାର ଅପରାହ୍ନରେ ଏହି ଅପ୍ରତ୍ୟାଶିତ ନିଷ୍ପତ୍ତି ନିଆଯାଇଥିଲା। FAA ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଦେଶର ବିଭିନ୍ନ ଏୟାର ରୁଟ୍ ଟ୍ରାଫିକ୍ କଣ୍ଟ୍ରୋଲ୍ ସେଣ୍ଟର୍ଗୁଡ଼ିକ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ଗରବଡ଼ ହୋଇପଡ଼ିଛି। ଏହାର ପ୍ରକୃତ କାରଣ ଖୋଜି ବାହାର କରିବା ସହ ତୁରନ୍ତ ସମାଧାନ ପାଇଁ FAAର ବୈଷୟିକ ଟିମ୍ ତଦନ୍ତ ଆରମ୍ଭ କରିଥିଲା। ଯୋଗାଯୋଗ ବ୍ୟବସ୍ଥାରେ ତ୍ରୁଟି ଥିବା ସମୟରେ ବିମାନ ଚଳାଚଳ ଜାରି ରଖିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଥିବାରୁ, ସତର୍କତାମୂଳକ ପଦକ୍ଷେପ ଭାବେ ଏହି କଡ଼ା ପଦକ୍ଷେପ ନିଆଯାଇଥିଲା। ଏହାର ପ୍ରଭାବ ବୋଷ୍ଟନ୍ ସମେତ ଆମେରିକାର ପ୍ରାୟ ସମସ୍ତ ପ୍ରମୁଖ ବିମାନବନ୍ଦରରେ ସ୍ପଷ୍ଟ ଭାବେ ବାରି ହୋଇପଡ଼ିଥିଲା। ହଠାତ୍ ଉଡ଼ାଣ ବନ୍ଦ ହେବାରୁ ଏୟାରପୋର୍ଟଗୁଡ଼ିକରେ ଯାତ୍ରୀଙ୍କ ଭିଡ଼ ପ୍ରବଳ ଭାବେ ବଢ଼ିଯାଇଥିଲା। ଫ୍ଲାଇଟ୍ ଟ୍ରାକିଂ ସଂସ୍ଥାର ରିପୋର୍ଟ ଅନୁସାରେ, ଶୁକ୍ରବାର ଦିନ ପ୍ରାୟ ୧୧ ହଜାରରୁ ଅଧିକ ବିମାନର ଉଡ଼ାଣ ବାତିଲ୍ ହୋଇଥିବାବେଳେ ପ୍ରାୟ ୧୦ ହଜାର ବିମାନ ବିଳମ୍ବିତ ହୋଇଥିଲା। ଏହି ବ୍ୟାପକ ବିଭ୍ରାଟର ପ୍ରଭାବ ପରବର୍ତ୍ତୀ ଦିନଗୁଡ଼ିକର ବିମାନ ସୂଚୀ ଉପରେ ମଧ୍ୟ ଗଭିର ଭାବେ ପଡ଼ିଥିଲା।



