ଗଞ୍ଜାମରେ ବନ୍ୟା ଆଶଙ୍କା: ଡ୍ୟାମ୍‌ ଗେଟ୍‌ ଖୋଲିବା ନେଇ ନଦୀକୂଳିଆଙ୍କୁ ସତର୍କ ସୂଚନା

ଗଞ୍ଜାମ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଆଶଙ୍କା ମଧ୍ୟରେ ଗଞ୍ଜାମ ଜିଲ୍ଲାକୁ ବନ୍ୟା ଭୟ ଘାରିଛି। ଲଗାଣ ବର୍ଷା ଯୋଗୁ ଜଳଭଣ୍ଡାରଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ଥିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ଆଗୁଆ ସତର୍କତା ଅବଲମ୍ବନ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଯେକୌଣସି ସମୟରେ ଡ୍ୟାମ୍‌ର ଗେଟ୍‌ ଖୋଲାଯାଇ ନଦୀକୁ ଜଳ ନିଷ୍କାସନ କରାଯାଇପାରେ। ଏଥିପାଇଁ ନଦୀକୂଳ ଓ ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରି ସ୍ଥିତିରେ ଜଳଭଣ୍ଡାରଗୁଡ଼ିକରେ ଜଳସ୍ତର ବଢ଼ିଲେ ନିରାପତ୍ତା ଦୃଷ୍ଟିରୁ ନଦୀକୁ ଅତିରିକ୍ତ ଜଳ ଛଡ଼ାଯାଇପାରେ। ବିଶେଷକରି ବାଘଲଟି ଓ ଘାଟକେଶ୍ୱର ଜଳଭଣ୍ଡାରର ଜଳସ୍ତର ଉପରେ କର୍ତ୍ତୃପକ୍ଷ ତୀକ୍ଷ୍ଣ ନଜର ରଖିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏହି ଜଳଭଣ୍ଡାରଗୁଡ଼ିକରେ ପ୍ରାୟ ୭୫ ପ୍ରତିଶତ ଜଳ ଗଚ୍ଛିତ ରହିଛି। ଆଗକୁ ଅଧିକ ବର୍ଷା ହେଲେ ଏହାର ଜଳଧାରଣ କ୍ଷମତା ଉପରେ ଚାପ ପଡ଼ିପାରେ, ଯାହାଫଳରେ ଆବଶ୍ୟକ ପଡ଼ିଲେ ନିୟନ୍ତ୍ରିତ ଭାବେ ଜଳ ନିଷ୍କାସନ କରାଯିବ। ତେଣୁ ସାଧାରଣ ଜନତାଙ୍କୁ ନଦୀ, ନାଳ କିମ୍ବା ଜଳପ୍ରବାହ ହେଉଥିବା ସ୍ଥାନକୁ ନଯିବାକୁ ଏବଂ ପ୍ରଶାସନିକ ସୂଚନାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଅନୁରୋଧ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button