ରାଜ୍ୟପାଳଙ୍କୁ ଭେଟିଲେ ବିଜୟ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

ନୂଆଦିଲ୍ଲୀ: ତାମିଲନାଡୁ ରାଜନୀତିରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସର୍ବାଧିକ ଆସନ ଜିତିଥିବା ତାମିଲଗା ଭେଟ୍ରି କାଝାଗମ (TVK) ଦଳର ମୁଖ୍ୟ ବିଜୟ ଆଜି ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ଆସନ୍ତାକାଲି ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ବିଜୟ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ରାଜ୍ୟପାଳଙ୍କୁ ଦିଆଯାଇଥିବା ସମର୍ଥନ ପତ୍ର ଅନୁଯାୟୀ, ବିଜୟଙ୍କ ପାଖରେ ମୋଟ ୧୧୩ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଏଥିମଧ୍ୟରେ ଟିଭିକେର ୧୦୮ ଜଣ ଏବଂ କଂଗ୍ରେସର ୫ ଜଣ ବିଧାୟକ ସାମିଲ ଅଛନ୍ତି। କଂଗ୍ରେସ ଦଳ କିଛି ସର୍ତ୍ତ ସହିତ ଟିଭିକେକୁ ସମର୍ଥନ ଦେବାକୁ ଘୋଷଣା କରିଛି। ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ପୂର୍ବରୁ ଡିଏମକେ (DMK) ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା। ସଂଖ୍ୟା ଗରିଷ୍ଠତା ପାଇଁ ଆହୁରି କିଛି ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବାରୁ, ଦଳ ଏବେ ଭିସିକେ (VCK) ଏବଂ କମ୍ୟୁନିଷ୍ଟ ଦଳଗୁଡ଼ିକ ସହ ଆଲୋଚନା ଜାରି ରଖିଛି।



