ନୀତୀଶ ସେତୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ବିହାରର ରାଘୋପୁରରେ ନୀତୀଶ ସେତୁର ଉଦଘାଟନ କରିଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାଁରେ ନାମିତ ଏହି ସେତୁ ଉଦ୍‌ଘାଟନ ପୂର୍ବରୁ ବିବାଦରେ ରହିଥିଲା। ପାଟନାର କାଚ୍ଚି ଦରଘାରୁ ରାଘୋପୁର ଦେଇ ବୈଶାଳୀର ବିଦୁପୁର ପର୍ଯ୍ୟନ୍ତ ଗଙ୍ଗା ନଦୀ ଉପରେ ୪୨୮୦ କୋଟି ଟଙ୍କାରେ ନିର୍ମିତ ୯.୭୬ କିମି ଲମ୍ବା ଏହି ସେତୁ ଉପରେ ପ୍ରଧାନମନ୍ତ୍ରୀ କିଛି ସମୟ ଅଟକିଥିଲେ ଓ ଗାମୁଛା ହଲାଇ ଜନସାଧାରଣଙ୍କୁ ଅଭିବାଦନ ଜଣାଇଥିଲେ। ଏହି ଅବସରରେ ବିହାର ରାଜ୍ୟପାଳ ସୟଦ ଅତା ହସନେନ୍, ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଉପମୁଖ୍ୟମନ୍ତ୍ରୀ ବିଜୟ ଚୌଧୁରୀ ଓ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶୱାନ ପ୍ରମୁଖ ଉପସ୍ଥିତ ଥିଲେ। ସେତୁ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ବୈଶାଳୀ ଜିଲ୍ଲାର ରାଜାପାକର ଅନ୍ତର୍ଗତ ଜାଫରପଟ୍ଟି ଗ୍ରାମରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ରାଘୋପୁର ବିଧାୟକ ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର କାର୍ଯ୍ୟକାରୀ ସଭାପତି ତେଜସ୍ୱୀ ଯାଦବଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ସେ ଯୋଗ ଦେଇ ନଥିଲେ। ସେତୁରେ ପହଞ୍ଚିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପାଟନା ବିମାନବନ୍ଦରରେ ନୀତୀଶ କୁମାରଙ୍କୁ ସାକ୍ଷାତ କରିଥିଲେ। ଏହା ସହିତ ସଡ଼କ ସଂଯୋଗ, ଶକ୍ତି, ସହରାଞ୍ଚଳ ଭିତ୍ତିଭୂମି, ଜଳସମ୍ପଦ, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ କ୍ଷେତ୍ରର ବିଭିନ୍ନ ବିକାଶ ପ୍ରକଳ୍ପର ମଧ୍ୟ ସେ ଉଦଘାଟନ କରିଛନ୍ତି। ବିହାରରେ ସ୍ୱଚ୍ଛ ସାର୍ବଜନୀନ ପରିବହନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୧୦୦ଟି ପ୍ରଧାନମନ୍ତ୍ରୀ ଇ-ବସ୍‌କୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button