FBIର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଗୋଲ୍ଡୀ ବ୍ରାର

ନୂଆଦିଲ୍ଲୀ: ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI) ଗ୍ୟାଙ୍ଗଷ୍ଟର ସତୀନ୍ଦରଜିତ ସିଂହ ଓରଫ ଗୋଲ୍ଡୀ ବ୍ରାରଙ୍କୁ ତା’ର ୧୦ ଜଣ ମୋଷ୍ଟ ୱାଣ୍ଟେଡ୍ ପଳାତକଙ୍କ ତାଲିକାରେ ସାମିଲ କରିଛି। FBIର ସୂଚନା ମୁତାବକ, ଗୋଲ୍ଡୀ ବ୍ରାର ହେଉଛନ୍ତି ‘ଲରେନ୍ସ ବିଷ୍ନୋଇ ସଂଗଠିତ ଅପରାଧ କ୍ଲିକ୍’ (OCG)ର ଉତ୍ତର ଆମେରିକୀୟ ମୁଖ୍ୟ। ଏହି ଅପରାଧୀ ଗୋଷ୍ଠୀ ବିରୋଧରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡାରେ ଏକାଧିକ ହିଂସାତ୍ମକ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି। FBI ଅନୁଯାୟୀ, ଏହି ସଂଗଠିତ ଅପରାଧୀ ଗୋଷ୍ଠୀ ରାଜନୈତିକ ଓ ଧାର୍ମିକ ବ୍ୟକ୍ତିତ୍ୱଙ୍କ ହତ୍ୟା, ଗୁଳିକାଣ୍ଡ, ଅପହରଣ, ଦାଦାବଟି ଆଦାୟ ଏବଂ ଆକ୍ରମଣ ଭଳି ସଙ୍ଗୀନ ମାମଲାରେ ଜଡ଼ିତ। ଏହାଛଡ଼ା ମାନବ ଚାଲାଣ, ନିଶାଦ୍ରବ୍ୟ ଏବଂ ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ମଧ୍ୟ ଏହି ଗ୍ୟାଙ୍ଗର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ଆମେରିକା ଓ କାନାଡା ପର୍ଯ୍ୟନ୍ତ ବ୍ୟାପିଥିବା ଏହି ଅପରାଧିକ ନେଟୱାର୍କର ଅଭିଯୁକ୍ତ ନେତା ଭାବେ ଗୋଲ୍ଡୀ ବ୍ରାରଙ୍କୁ ଚିହ୍ନଟ କରିଛି FBI। ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ତାଙ୍କ ନାମ ଯୋଡ଼ି ହେବା ପରେ ତାଙ୍କୁ ଧରିବା ପାଇଁ ତଦନ୍ତକାରୀ ସଂସ୍ଥା ପକ୍ଷରୁ ସନ୍ଧାନ ଓ ନଜରଦାରୀକୁ ଆହୁରି କଡ଼ାକଡ଼ି କରାଯାଇଛି।



