ବାଲିଯାତ୍ରାରେ କଡ଼ା କଟକଣା; ରାତି ୧୧ଟା ଯାଏଁ କାର୍ଯ୍ୟକ୍ରମକୁ ଅନୁମତି

କଟକ: ଐତିହାସିକ କଟକ ବାଲିଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ଆୟୋଜନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି କ୍ରମରେ ବାଲିଯାତ୍ରାର ଉଭୟ ତଳ ଓ ଉପର ପଡ଼ିଆକୁ ଡ୍ରୋନ୍ ଉଡ଼ାଣ ନିଷିଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏଥିସହ ପଡ଼ିଆର ୫ କିଲୋମିଟର ପରିଧି ମଧ୍ୟରେ ମଧ୍ୟ କଡ଼ା କଟକଣା ଲାଗୁ କରିଛନ୍ତି ଜିଲ୍ଲାପାଳ। ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କ ଗସ୍ତ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ୨୨ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ)ର ଧାରା ୧୬୩ ଅନୁଯାୟୀ ଏହି କଟକଣା ବଳବତ୍ତର ରହିବ। ଉକ୍ତ ଅବଧିରେ ବାଲିଯାତ୍ରା ପଡ଼ିଆ ଓ ନିର୍ଦ୍ଧାରିତ ପରିସୀମା ଭିତରେ କୌଣସି ପ୍ରକାର ଡ୍ରୋନ୍ ଉଡ଼ାଣ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଅନ୍ୟପକ୍ଷରେ, ବାଲିଯାତ୍ରାରେ ସାଂସ୍କୃତିକ ଓ ମଞ୍ଚ କାର୍ଯ୍ୟକ୍ରମ ପାଇଁ ରାତି ୧୧ଟା ପର୍ଯ୍ୟନ୍ତ ଲାଉଡ୍‌ସ୍ପିକର ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରାଯାଇଛି। ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ମଧ୍ୟ ରାତି ୧୧ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯାଇପାରିବ। ଉତ୍ସବ ସମୟରେ ଆଇନଶୃଙ୍ଖଳା ରକ୍ଷା, ଜନସାଧାରଣଙ୍କ ସୁରକ୍ଷା ଏବଂ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button