ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ତହସିଲଦାର

କଳାହାଣ୍ଡି: ଜଣେ ଆବେଦନକାରୀଙ୍କ ଚାଷ ଜମିକୁ ଘରବାଡ଼ି କିସମରେ ପରିବର୍ତ୍ତନ କରିଦେବା ପାଇଁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ଏବଂ ତାଙ୍କ ଡ୍ରାଇଭର ପଙ୍କଜ ସିପକା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପୂର୍ବ ପ୍ରସ୍ତୁତ ଯୋଜନା ଅନୁଯାୟୀ ଆଜି ଭିଜିଲାନ୍ସ ଅଧିକାରୀମାନେ ଅତର୍କିତ ଚଢ଼ାଉ କରି ଡ୍ରାଇଭରଙ୍କ ଜରିଆରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଉଭୟଙ୍କୁ କାବୁ କରିଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ, ଜମିର କିସମ ପରିବର୍ତ୍ତନ ନିମନ୍ତେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ (ଆରଆଇ) ଗତ ନଭେମ୍ବର ୨ ତାରିଖରେ ସମସ୍ତ କାଗଜପତ୍ର ସହିତ ନିଜର ତଦନ୍ତ ରିପୋର୍ଟ ତହସିଲଦାର ଚନ୍ଦନ କୁମାର ନାୟକଙ୍କ ନିକଟରେ ଦାଖଲ କରିଥିଲେ। ତେବେ ରିପୋର୍ଟ ହସ୍ତଗତ ହେବା ସତ୍ତ୍ୱେ ତହସିଲଦାର ଫାଇଲକୁ ଆଗକୁ ବଢ଼ାଇ ନଥିଲେ। କାମ କରାଇଦେବା ବାବଦକୁ ସେ ନିଜ ପାଇଁ ୧୦ ହଜାର ଟଙ୍କା ଏବଂ ଡ୍ରାଇଭରଙ୍କ ପାଇଁ ଅତିରିକ୍ତ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିରେ ଅତିଷ୍ଠ ହୋଇ ଆବେଦନକାରୀ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା ଏବଂ ଯୋଜନା ମୁତାବକ ଡ୍ରାଇଭର ପଙ୍କଜ ସିପକାଙ୍କ ମାଧ୍ୟମରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଉଭୟଙ୍କୁ ଧରିବାରେ ସଫଳ ହୋଇଥିଲା। ଘଟଣାସ୍ଥଳରୁ ଭିଜିଲାନ୍ସ ସମସ୍ତ ୧୨ ହଜାର ଟଙ୍କା ଜବତ କରିଛି।ଉଭୟଙ୍କୁ ଧରିବା ପରେ ତହସିଲଦାର ଶ୍ରୀ ନାୟକଙ୍କ ଦୁଇଟି ଠିକଣା ଏବଂ ଡ୍ରାଇଭର ପଙ୍କଜ ସିପକାଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button