ଅଧାରାତିରେ ଜଳିଗଲା ଇ-ସ୍କୁଟି, ଅଘଟଣରୁ ରକ୍ଷା ପାଇଲେ ପରିବାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ କୁଳିଅଣା ଉପକଣ୍ଠ ବର୍ତ୍ତନା ଗ୍ରାମରେ ଅଧାରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘର ବାରଣ୍ଡାରେ ରଖାଯାଇଥିବା ଏକ ଇ-ସ୍କୁଟିରେ ହଠାତ୍ ନିଆଁ ଲାଗିଯିବାରୁ ତାହା ହୁତୁହୁତୁ ହୋଇ ଜଳିଯାଇଛି। ନିଆଁର ପ୍ରକୋପ ଏତେ ପ୍ରବଳ ଥିଲା ଯେ ପାଖରେ ଥିବା ଅନ୍ୟ ଏକ ବାଇକ୍ ମଧ୍ୟ ଏହାର କବଳରେ ଆସି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତେବେ ସୌଭାଗ୍ୟବଶତଃ ନିଆଁ ଘର ଭିତରକୁ ବ୍ୟାପିବା ପୂର୍ବରୁ ଆୟତ୍ତ ହୋଇଯିବାରୁ ଏକ ବଡ଼ ଦୁର୍ଘଟଣା ଏଡ଼ି ଯାଇଛି। ସୂଚନା ଅନୁଯାୟୀ, ଗ୍ରାମର କିଶୋର କୁମାର ଦାସ ୬ ମାସ ତଳେ କିଣିଥିବା ହିରୋ ଭିଡା ଇ-ସ୍କୁଟିକୁ ଗତକାଲି ରାତି ପ୍ରାୟ ୯ଟାରେ ବାରଣ୍ଡାରେ ରଖିଥିଲେ। ରାତି ପ୍ରାୟ ୧ଟା ସମୟରେ ହଠାତ୍ ସ୍କୁଟିରୁ ନିଆଁ ବାହାରୁଥିବା ସେ ଦେଖିବାକୁ ପାଇଥିଲେ। ଦେଖୁ ଦେଖୁ ନିଆଁ ପାଖ ବାଇକ୍କୁ ମଧ୍ୟ ଗ୍ରାସ କରିଥିଲା। ପରିବାର ଲୋକେ ଭୟଭୀତ ହୋଇ ପଡ଼ିଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ବି ସ୍କୁଟିରୁ ସୋର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।



