ଆମକୁ ଆତ୍ମନିର୍ଭର ଭାରତ ଗଠନ କରିବାକୁ ହେବ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ।  ମିଳିତ ଅଧିବେଶନକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସଂସଦରେ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଅଭିଭାଷଣ ।  ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରା କରିଥିବା ବେଳେ ଆଜାଦୀର ଅମୃତ କାଳରେ ପ୍ରବେଶ କରିଛି । ଏଥିରେ ଭାରତର ଗୌରବମୟ ଇତିହାସ ରହିଛି ଏବଂ ସ୍ୱର୍ଣ୍ଣିମ ଭବିଷ୍ୟତର ସଂକଳ୍ପ ରହିଛି । ଅମୃତ କାଳର ଏହି ୨୫ ବର୍ଷ ସମୟ ବିକଶିତ ଭାରତର ସମୟ । ନୂଆ ଭାରତ ନିର୍ମାଣର ଅବସର । ଆଉ ଏଥିପାଇଁ ଆମ ସମସ୍ତଙ୍କୁ ଏକ ହୋଇ କାମ କରିବାକୁ ହେବ । ଆମକୁ ୨୦୪୭ ସୁଦ୍ଧା ଏମିତି ଏକ ଭାରତ ଗଠନ କରିବାକୁ ହେବ ଯାହା ଅତୀତର ଗୌରବ ସହ ଜଡିତ ଥିବ ଏବଂ ଯେଉଁଠି ଆଧୁନିକତାର ସମସ୍ତ ସ୍ୱର୍ଣ୍ଣିମ ଅଧ୍ୟାୟ ରହିଥିବ । ଆମକୁ ଆତ୍ମନିର୍ଭର ଭାରତ ଗଠନ କରିବାକୁ ହେବ । ଏମିତି ଏକ ଭାରତ ଗଠନ ହେଉ ଯେଉଁଠି ଗରିବୀ ନଥାଉ, ମଧ୍ୟମ ବର୍ଗ ମଧ୍ୟ ବୈଭବଶାଳୀ ହୁଅନ୍ତୁ । ଯୁବଶକ୍ତି ଓ ନାରୀଶକ୍ତି ଦେଶକୁ ଦିଶା ଦେଖାଇବା ଦିଗରେ ସବୁଠୁ ଆଗରେ ଛିଡା ହୁଅନ୍ତୁ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣରେ କହିଛନ୍ତି ।

ଶିଳ୍ପ ଠାରୁ ସେନା ପର୍ୟ୍ୟନ୍ତ ସବୁଠି ମହିଳାଙ୍କୁ ଧ୍ୟାନ ଦିଆଯାଇଛି  । ସରକାର ମାତୃତ୍ୱ ଛୁଟିକୁ  ୨୬ ସପ୍ତାହ କରିଛନ୍ତି । ମୁଦ୍ରା ଯୋଜନାରେ ମହିଳାଙ୍କ ଭାଗୀଦାରୀ ବଢିଛି  । ଜନଧନ ଯୋଜନା ଠାରୁ ପ୍ରଧାନମନ୍ତ୍ରୀ  ଆବାସ ଯୋଜନାରେ ମିଳୁଥିବା ଘର ମହିଳାଙ୍କ ନାମରେ କରାଯାଉଛି  । ଯଦ୍ୱାରା ସେମାନଙ୍କ ସାହାସ ବୃଦ୍ଧି ଘଟୁଛି  । ଦେଶରେ ୮୦ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ କାମ କରୁଛନ୍ତି  । ଯେଉଁଥିରେ ୯ କୋଟି ମହିଳା ଯୋଡି ହୋଇ ରହିଛନ୍ତି  । ଆମର ବିକାଶ ଆକାଶ ଛୁଇଁବାକୁ ଯାଉଛି  । ଆଜି ଦେଶରେ ଅଯୋଧ୍ୟା ଧାମର ନିର୍ମାଣ ଚାଲୁଛି  । ସେପଟେ ଆଧୁନିକ ସଂସଦ ଭବନ ମଧ୍ୟ ନିର୍ମାଣ ଚାଲିଛି  । ଆମେ ପରମ୍ପରା ଏବଂ ବିକାଶ ସହିତ ଏକତ୍ର ଯାତ୍ରା କରୁଛେ  । ଗୋଟିଏ ପକ୍ଷରେ କେଦାରନାଥ ଓକାଶୀନାଥରେ ମହାକାଳ ଧାମର ବିକାଶ ଓ ଅନ୍ୟପଟେ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ କରୁଛେ  ।

ଏମିତି ଭାରତ ଗଠନ ହେଉ ଯାହାର ବିବିଧତା ଆହୁରି ଉଜ୍ଜ୍ୱଳ ହେଉ ଏବଂ ଏକତା ଆହୁରି ଶକ୍ତିଶାଳୀ ହେଉ । ଅମୃତ କାଳର ଏହି ସମୟ ଦେଶବାସୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ସବକା ସାଥ, ସବକା ବିକାଶରୁ ସରକାର ଯାତ୍ରା ଆରମ୍ଭ କରିଥିବା ବେଳେ ଏବେ ଏଥିରେ ସବକା ବିଶ୍ୱାସ ଓ ସବକା ପ୍ରୟାସ ଯୋଡି ହୋଇଛି । ଆଉ ଏହି ମନ୍ତ୍ର ହିଁ ବିକଶିତ ଭାରତର ପ୍ରେରଣା ପାଲଟିଛି ।ଏହି ସରକାରରେ ଅନେକ ସକରାତ୍ମକ ପରିବର୍ତ୍ତନ ଦେଖିଛନ୍ତି ଭାରତବାସୀ । ସବୁ ଭାରତୀୟଙ୍କ ଆତ୍ମବିଶ୍ୱାସ ଏବେ ଶୀର୍ଷରେ ପହଞ୍ଚିଛି । ଭାରତ ପ୍ରତି ବିଶ୍ୱର ଆଭିମୁଖ୍ୟ ମଧ୍ୟ ବଦଳିଛି । ଯେଉଁ ଭାରତ ପୂର୍ବରୁ ନିଜର ସମସ୍ୟା ପାଇଁ ଅନ୍ୟଙ୍କ ଉପରେ ନିର୍ଭରଶୀଳ ଥିଲା ଏବେ ସେହି ଭାରତ ବିଶ୍ୱ ସମସ୍ୟାର ସମାଧାନର ମାଧ୍ୟମ ପାଲଟିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣରେ କହିଛନ୍ତି ।

ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ ହେବ। ଫେବ୍ରୁଆରୀ ୧ ତାରିଖ ପୂର୍ବାହ୍ନ ୧୧ଟାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିବେ। ପରେ ତାହା ରାଜ୍ୟସଭାରେ ଆଗତ କରାଯିବ। ଗତ ଦୁଇଥର ଭଳି ଏଥର ମଧ୍ୟ ବଜେଟ କାଗଜ ବିହୀନ ହେବ। ‘କେନ୍ଦ୍ର ବଜେଟ ମୋବାଇଲ ଆପ୍‌’ରେ ଏହା ଉପଲବ୍ଧ ହେବ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ମୋଦି ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ।

Related Articles

Leave a Reply

Your email address will not be published.

Back to top button