ରାଜଧାନୀରେ ପୁଣି ଲଜ୍ଜା: ଭଡ଼ାଘରେ ପଶି ଯୁବତୀଙ୍କୁ ବନ୍ଧୁକ ମୁନରେ ଦୁଷ୍କର୍ମ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ସାଂଘାତିକ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କ ଭଡ଼ାଘରେ ପଶି ଦୁର୍ବୃତ୍ତ ଜଣକ ବନ୍ଧୁକ ମୁନରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବୁଧବାର ରାତିରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।ପୀଡ଼ିତା ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତ ଜଣକ ନିଜ ପରିଚୟ ଲୁଚାଇବା ପାଇଁ ମୁହଁରେ ମାସ୍କ ପିନ୍ଧି ତାଙ୍କ ଭଡ଼ାଘରେ ପଶିଥିଲା। ଏହାପରେ ବନ୍ଧୁକ ଦେଖାଇ ଭୟଭୀତ କରାଇ ସେ ଏହି ଅପରାଧ ଭିଆଇଥିଲା। ଏ ନେଇ ପୀଡ଼ିତା ନୟାପଲ୍ଲୀ ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ମାସ୍କ ପିନ୍ଧି ଆସିଥିବାରୁ ତାକୁ ଚିହ୍ନଟ କରି ଗିରଫ କରିବା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ତେବେ ଘଟଣାକୁ ଗୁରୁତ୍ୱର ସହ ନେଇ ପୁଲିସ ବିଭିନ୍ନ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ଅଭିଯୁକ୍ତର ସୁରାକ୍ ପାଇବା ପାଇଁ ବେହେରା ସାହି ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାଗୁଡ଼ିକର ଫୁଟେଜ୍କୁ ନିବିଡ଼ ଭାବେ ଯାଞ୍ଚ କରାଯାଉଛି।



