ବୃଦ୍ଧି ପାଇଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀଙ୍କ ପାଇଁ ଖୁସିର ବର୍ଷା ଆସିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୩ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଫଳରେ କର୍ମଚାରୀମାନେ ପୂର୍ବରୁ ପାଉଥିବା ୬୦ ପ୍ରତିଶତ ବଦଳରେ ବର୍ତ୍ତମାନ ୬୩ ପ୍ରତିଶତ ଡିଏ ପାଇବେ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ବର୍ଷର ଜୁଲାଇ ପହିଲା ୨୦୨୬ ଠାରୁ ପିଛିଲା ଭାବେ ଲାଗୁ ହେବ। ସବୁଠାରୁ ବଡ଼ କଥା ହେଲା, କର୍ମଚାରୀମାନେ ଚଳିତ ନଭେମ୍ବର ମାସର ଦରମା ସହିତ ଏହି ବର୍ଦ୍ଧିତ ଡିଏକୁ ନଗଦ ଆକାରରେ ପାଇବେ। ଅର୍ଥାତ୍ ଜୁଲାଇରୁ ଅକ୍ଟୋବର ମାସର ବକେୟା ଏବଂ ନଭେମ୍ବର ମାସର ମୋଟ ଅଙ୍କ ଏକାଠି ମିଳିବ। କେବଳ କର୍ମଚାରୀ ନୁହଁନ୍ତି, ରାଜ୍ୟର ପେନ୍ସନଭୋଗୀମାନଙ୍କ ପାଇଁ ମଧ୍ୟ ସମାନ ସୁବିଧା ଘୋଷଣା କରାଯାଇଛି। ସେମାନଙ୍କର ଟି.ଆଇ (TI – Relief on Pension) ରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯାଇଛି ଏବଂ ସେମାନେ ମଧ୍ୟ ନଭେମ୍ବର ମାସର ପେନ୍ସନ ସହିତ ଏହି ବର୍ଦ୍ଧିତ ଟି.ଆଇ ପାଇବେ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀ ସିଧାସଳଖ ଉପକୃତ ହେବେ। ଦରବୃଦ୍ଧିର ଏହି ସମୟରେ ସରକାରଙ୍କ ଏହି ଘୋଷଣା କର୍ମଚାରୀ ମହଲରେ ବେଶ୍ ଆଶ୍ୱସ୍ତି ଆଣିଦେଇଛି।



