ଓଏସ୍‌ଏସ୍‌ସି ପକ୍ଷରୁ ୫୩ଟି ନିଯୁକ୍ତି ବିଜ୍ଞାପନର ଫଳାଫଳ ଚୁଡ଼ାନ୍ତ ହୋଇ ପ୍ରକାଶିତ ହୋଇଛି

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସ୍‌ସି)ଙ୍କ ଦ୍ୱରା ୨୦୨୨ ବର୍ଷରେ ୫୩ଟି ନିଯୁକ୍ତି ବିଜ୍ଞାପନର ଫଳାଫଳ ଚୁଡ଼ାନ୍ତ ହୋଇ ପ୍ରକାଶିତ ହୋଇଛି । ଏଥି ମଧ୍ୟରେ ୨୦୧୬ ବର୍ଷର ୬ଟି ନିଯୁକ୍ତି ବିଜ୍ଞାପନ, ୨୦୧୭ର ୮ଟି, ୨୦୧୮ର ଦୁଇଟି, ୨୦୧୯ର ୧୬ଟି, ୨୦୨୦ର ତିନୋଟି, ୨୦୨୧ର ୧୪ଟି ଏବଂ ୨୦୨୨ର ଦୁଇଟି ନିଯୁକ୍ତି ବିଜ୍ଞାପନ ରହିଛି । ଏହି ସମସ୍ତ ପ୍ରକ୍ରିିୟାରେ ୨୪୮୮ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି ବୋଲି ଓଡ଼ିଶା କର୍ମଚାରୀ ଚୟନ ଆୟୋଗଙ୍କ ବାର୍ଷିକ ବିବରଣୀରେ ପ୍ରକାଶ ପାଇଛି । ମିଳିତ ନିଯୁକ୍ତି ପରୀକ୍ଷା ଉଭୟ କର୍ମଚାରୀ ଚୟନ ଆୟୋଗ ଏବଂ ଆବେଦନକାରୀଙ୍କ ସମୟ ଏବଂ ପ୍ରୟାସକୁ ହ୍ରାସ କରୁଥିବା ପରିପ୍ରେକ୍ଷୀରେ ଓଏସ୍‌ଏସ୍‌ସିର ସୁପାରିଶ କ୍ରମେ ସରକାର ଛଅଟି ମିଳିତ ନିଯୁକ୍ତି ପରୀକ୍ଷା ସଂପର୍କରେ ସୂଚନା ଦେଇଛନ୍ତି ଏବଂ ଅନ୍ୟ ଏକ ମିଳିତ ପରୀକ୍ଷାର ସୂଚନା ମଧ୍ୟ ଖୁବ୍‌ଶୀଘ୍ର ସରକାରଙ୍କ ପକ୍ଷରୁ ଦିଆଯିବ । ନଭେମ୍ବର ୨୦୨୨ ଏବଂ ଡିସେମ୍ବର ୨୦୨୨ରେ ପାଞ୍ଚଟି ମିଳିତ ନିଯୁକ୍ତି ପରୀକ୍ଷା ପାଇଁ ଆବେଦନ ଆମନ୍ତ୍ରଣ କରାଯାଇଛି । ଓଏସ୍‌ଏସ୍‌ସି ପକ୍ଷରୁ ପ୍ରକାଶିତ ବିବରଣୀରୁ ଜଣାପଡ଼ିଛି ଯେ ୨୦୨୨ ଅଗଷ୍ଟ ମାସ ପରଠାରୁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କମ୍ପ୍ୟୁଟରଭିତ୍ତିକ ପ୍ରାଥମିକ ପରୀକ୍ଷା କରାଯାଉଛି । ପୂର୍ବରୁ ଏହା କେବଳ ପାଞ୍ଚ-ଛଅଟି ଜିଲ୍ଲାରେ କରାଯାଉଥିଲା । ପୂର୍ବରୁ ନିଯୁକ୍ତି ପାଇଁ ବିଜ୍ଞାପନ କେବଳ ଇଂରାଜୀରେ ପ୍ରକାଶ ପାଉଥିବାବେଳେ ଏବେ ଓଡ଼ିଆ ଏବଂ ଇଂରାଜୀ ଉଭୟ ଭାଷାରେ ବିସ୍ତୃତ ବିଜ୍ଞାପନ ପ୍ରକାଶିତ ହେଉଛି । ଆବେଦନକାରୀମାନଙ୍କଠାରୁ ଓଡ଼ିଆ କିମ୍ବା ଇଂରାଜୀରେ ପରୀକ୍ଷା ପାଇଁ ବିକଳ୍ପ ନିଆଯାଉଛି ଏବଂ ସେହି ଅନୁସାରେ ୨୦୨୩ ଜାନୁଆରୀରୁ ପ୍ରାର୍ଥୀ ତାଙ୍କ ଇଚ୍ଛା ଅନୁଯାୟୀ ଓଡ଼ିଆ କିମ୍ବା ଇଂରାଜୀ ଭାଷାରେ ପରୀକ୍ଷା ଦେଇପାରିବେ । ୨୦୨୨ ଅଗଷ୍ଟ କିମ୍ବା ପରବର୍ତ୍ତୀ ସମୟରେ ଯେଉଁସବୁ ପରୀକ୍ଷା ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଥିଲା, ସେହିସବୁ ପରୀକ୍ଷାରେ ପ୍ରାର୍ଥୀମାନଙ୍କର ନମ୍ବର ତାଙ୍କ ବ୍ୟକ୍ତିଗତ ଅନ୍‌ଲାଇନ୍ ଆକାଉଣ୍ଟ ମାଧ୍ୟମରେ ପଠାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ୨୦୨୩ରେ ସମସ୍ତ କମ୍ପ୍ୟୁଟର ଆଧାରିତ ମୁଖ୍ୟ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ରରେ ଜାମର ଲଗାଯିବା ପାଇଁ ଓଏସ୍‌ଏସ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ୟୁନିଟ୍‌-୨ସ୍ଥିତ ନୂତନ କ୍ୟାମ୍ପସ୍‌କୁ ସ୍ଥାନାନ୍ତରିତ କରାଯାଇଛି । ଆବେଦନକାରୀଙ୍କର ସାର୍ଟିଫିକେଟ୍ ଯାଞ୍ଚ ନିମନ୍ତେ କାର୍ଯ୍ୟାଳୟ ମଧ୍ୟରେ ଉପଯୁକ୍ତ ଏବଂ ପ୍ରଶସ୍ତ ସ୍ଥାନ ନିର୍ଦ୍ଧାରଣ କରାଯାଇଛି । ନଭେମ୍ବର ୨୦୨୨ ଏବଂ ଡିସେମ୍ବର ୨୦୨୨ରେ ୧୦ଟି ବିଜ୍ଞାପନ ପ୍ରକାଶିତ ହୋଇଥିଲା ଯାହା ପ୍ରାୟ ଦଶ ହଜାର ପୋଷ୍ଟ ପାଇଁ ଆବେଦନକୁ ଆମନ୍ତ୍ରଣ କରିଥିଲା । ଓଏସ୍‌ଏସ୍‌ସି ପକ୍ଷରୁ ଏହି ପ୍ରତ୍ୟେକ ନିଯୁକ୍ତିକୁ ୯ ମାସ କିମ୍ବା ତା’ଠାରୁ କମ୍ ସମୟ ମଧ୍ୟରେ ଶେଷ କରିବାକୁ ଯୋଜନା କରାଯାଇଛି ।

Related Articles

Leave a Reply

Your email address will not be published.

Back to top button