ଚିଲିକାରେ ପକ୍ଷୀ ଗଣନା ଶେଷ:୧୮୪ ପ୍ରଜାତିର ୧୧.୩୧ ଲକ୍ଷ ପକ୍ଷୀ

ଭୁବନେଶ୍ବର: ଚିଲିକାରେ ଦେଶୀ-ବିଦେଶୀ ପକ୍ଷୀମାନଙ୍କ ଗଣନା କାର୍ଯ୍ୟ ଆଜି ଶେଷ ହୋଇଛି । ଗତବର୍ଷ ଚିଲିକାକୁ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ ପକ୍ଷୀ ଆସିଥିବା ବେଳେ ଏ ବର୍ଷର ଗଣନା ଅନୁଯାୟୀ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ ପକ୍ଷୀ ଆସିଛନ୍ତି । ଅର୍ଥାତ୍ ଏବର୍ଷ ପ୍ରାୟ ୫୭ ହଜାର ଅଧିକ ପକ୍ଷୀ ଆସିଥିବା ଦେଖିବାକୁ ମିଳିଛି । ଏବର୍ଷ ଚିଲିକାକୁ ଆସିଥିବା ବିଦେଶୀ ପକ୍ଷୀଙ୍କ ମଧ୍ୟରେ ୨ଲକ୍ଷ ୨୯ ହଜାର ନର୍ଦନ ପିଣ୍ଟେଲ ପ୍ରଜାତିର ଥିବା ବେଳେ ଗଡ଼ୟେଲ ପ୍ରଜାତିର ୨ ଲକ୍ଷ, ଇରେସନ ମ୍ୟୁଜିୟମ ପ୍ରଜାତିର ୧ ଲକ୍ଷ ୩୦ ହଜାର, ବ୍ୟାଚ ଟେଲଗଡ଼ ଓଏଟ ୧ ଲକ୍ଷ ୩ ହଜାର, ଫ୍ଲେମିଙ୍ଗ ପ୍ରଜାତିର ୩୭୦ ପକ୍ଷୀ ଚିଲିକାକୁ ଅଛନ୍ତି । ଚିଲିକାରେ ନୂଆ ବିରଳ ପ୍ରଜାତିର ଦୁଇଟି ରିଭରଲ୍ୟାପ ଉଇଙ୍ଗ ଦେଖିବାକୁ ମିଳିଛି ।

ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ଟାଙ୍ଗୀ, ବାଲୁଗାଁ, ସାତପଡା, ନୂଆପଡ଼ା ଓ ରମ୍ଭା ପ୍ରଭୃତି ୫ ରେଞ୍ଜରେ ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଥିଲା । ଦେଶବିଦେଶରୁ ପକ୍ଷୀମାନେ ଶୀତଦିନରେ ହଜାର ହଜାର କିଲୋମିଟର ଅତିକ୍ରମ କରି ମରାଳମାଳିନୀ ନିଳାମ୍ବୁ ଚିଲିକାକୁ ଖାଦ୍ୟ ଅନ୍ୱେଷଣରେ ଚିଲିକାକୁ ଆସିଥାନ୍ତି । ଦେଶବିଦେଶରୁ ଆସୁଥିବା ପକ୍ଷୀଙ୍କର ପ୍ରତିବର୍ଷ ବନ୍ୟପ୍ରାଣୀ ବିଭାଗ ତରଫରୁ ସରକାରୀଭାବେ ଗଣନା କରାଯାଇଥାଏ । ଏହି ପକ୍ଷୀ ଗଣନା ପାଇଁ ୨୧ ଟିମ ଗଠନ କରାଯାଇଥିଲା । ପ୍ରତି ଟିମ୍‌ରେ ୩ରୁ ୫ଜଣ ପକ୍ଷୀ ବିଶେଷଜ୍ଞ ଥିଲେ । ବୁଧବାର ସକାଳୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଜିପିଏସ ଓ ବାଇନକୁଲାର ସାହାଯ୍ୟରେ ପକ୍ଷୀ ଗଣନା କରାଯାଇଥିଲା । ଗଣନା କାର୍ଯ୍ୟରେ ପ୍ରତିବନ୍ଧକ ନଆସିବା ପାଇଁ ପର୍ଯ୍ୟଟକମାନଙ୍କୁ କିଛି ସମୟ ପାଇଁ ଚିଲିକା ପ୍ରବେଶ ଉପରେ ରୋକ୍ ଲଗାଯାଇଥିବା ଚିଲିକା ବନ୍ୟପ୍ରାଣୀ ବିଭାଗର ଏସିଏଫ୍ ପ୍ରଶାନ୍ତ କୁମାର ପଣ୍ଡା କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button