ଧାମନଗର ନିର୍ବାଚନ ମଣ୍ଡଳୀର ବିକାଶ ଦାୟିତ୍ୱ ମୋର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମା’ମାନେ ସଶକ୍ତ ହେଉଛନ୍ତି, ମିଶନ ଶକ୍ତି ସେମାନଙ୍କ ନୂଆ ପରିଚୟ । ମୁଁ ଜଣେ ମା’ଙ୍କୁ ଆପଣଙ୍କ ବିଧାୟିକା ଭାବେ ଦେଖିବାକୁ ଚାହେଁ । ଏଇ ୧୮ ମାସ ଭିତରେ ଆମେ ୫ ବର୍ଷର କାମ କରିପାରିବା । ବିଜେଡିକୁ ବିପୁଳ ସମର୍ଥନ ଦେଇଥିବାରୁ ମୁଁ ଆପଣମାନଙ୍କ ନିକଟରେ ଋଣୀ । ଧାମନଗର ଉପନିର୍ବାଚନରେ ଆଜି ଏକାଥରରେ ୧୩ଟି ଜନସଭାରେ ଏଭଳି ଆବେଗର କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭର୍ଚୁଆଲ ଜରିଆରେ ମୁଖ୍ୟମନ୍ତ୍ରୀ କହିଥିଲେ, ଧାମନଗର ହେଉଛି ଶାନ୍ତି, ସଦ୍‌ଭାବ ଓ ଭାଇଚାରାର ଭୂମି । ଏହା ଧାମନଗରର ସବୁଠାରୁ ବଡ଼ ପରିଚୟ । ଏହି ପରିଚୟର ସୁରକ୍ଷା ପାଇଁ ଆମେ ସମସ୍ତେ କାମ କରୁଛୁ । ବିଜୁ ଜନତା ଦଳ ସୁଖଦୁଃଖରେ ସବୁବେଳେ ଆପଣମାନଙ୍କ ପାଖରେ ଅଛି । ସବୁବର୍ଗର ଲୋକଙ୍କ କଲ୍ୟାଣ ପାଇଁ କାମ କରୁଛି । ଆପଣମାନଙ୍କ ସହଯୋଗରେ ଓଡ଼ିଶା ଆଜି ବିକାଶ କ୍ଷେତ୍ରରେ ସାରା ଦେଶରେ ସୁନାମ କରିଛି । ଧାମନଗରର ବିକାଶ ମଧ୍ୟ କେମିତି ଆଗକୁ ବଢ଼ିବ, ତାହା ମୁଁ ନିଜେ ଦେଖିବି । ୨୦୧୯ ନିର୍ବାଚନରେ ଆପଣମାନେ ଯେଉଁ ମତ ରଖିଥିଲେ, ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ସେଥିରେ ପରିବର୍ତ୍ତନ କରିଛନ୍ତି । ଶଙ୍ଖ ଚିହ୍ନରେ ବିଶ୍ୱାସ ରଖିଛନ୍ତି । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଆପଣମାନେ ବିଜୁ ଜନତା ଦଳକୁ, ଶଙ୍ଖ ଚିହ୍ନକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି ଓ ସେବାର ସୁଯୋଗ ଦେଇଛନ୍ତି, ସେଥିପାଇଁ ମୁଁ ଋଣୀ । ଧାମନଗରର ୬ଟି ଯାକ ଜିଲ୍ଲା ପରିଷଦ ଆସନରେ ଆପଣମାନେ ବିଜୁ ଜନତା ଦଳକୁ ସେବାର ସୁଯୋଗ ଦେଇଛନ୍ତି । ସେହିପରି ଧାମନଗର ଏନଏସିର ୧୧ଟି ୱାର୍ଡରୁ ୯ଟି ୱାର୍ଡ଼ ସହିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଦାୟିତ୍ୱ ମଧ୍ୟ ଆପଣମାନେ ବିଜେଡିକୁ ଦେଇଛନ୍ତି । ତେଣୁ ମୋର ପୂରା ବିଶ୍ୱାସ ଏ ନିର୍ବାଚନରେ ବି ସେ ଧାରା ଜାରି ରହିବ । ଧାମନଗରର ବିକାଶ ଆହୁରି ଆଗକୁ ବଢ଼ିବ ।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ କାଳିଆ ଯୋଜନା ହେଉ ବା ମିଶନ ଶକ୍ତି ବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସବୁ ଯୋଜନାର ସୁବିଧା ଆପଣମାନଙ୍କ ପାଖରେ ପହଞ୍ଚି ପାରିଛି । ମା’ମାନେ ସଶକ୍ତ ହେଉଛନ୍ତି । ମା’ମାନଙ୍କ ଭଲ କାମ ହିଁ ମୋତେ ବହୁତ ଖୁସି ଦେଇଛି । ମା’ମାନେ ସବୁ ଦାୟିତ୍ୱକୁ ସୁନ୍ଦର ଭାବରେ ନିର୍ବାହ କରିପାରୁଛନ୍ତି । ତେଣୁ ଜଣେ ମା’ଙ୍କୁ ମୁଁ ଆପଣଙ୍କ ବିଧାୟିକା ଭାବରେ ଦେଖିବାକୁ ଚାହେଁ, ଯାହା ଆପଣମାନେ ବି ଚାହାନ୍ତି । ଆଗାମୀ ୩ ତାରିଖରେ ଧାମନଗର ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଅବନ୍ତି ଦାସଙ୍କୁ ଆପଣ ବହୁସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ଆଶୀର୍ବାଦ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଧାମନଗର ନିର୍ବାଚନ ମଣ୍ଡଳୀର ୧୩ଟି ସ୍ଥାନରେ ଆୟୋଜିତ ଏହିସବୁ ନିର୍ବାଚନୀ ସଭାରେ ବିପୁଳ ଜନସମାଗମ ହୋଇଥିଲା । ପ୍ରତ୍ୟେକ ସଭାରେ ଧାମନଗରର ଅଞ୍ଚଳର ହଜାର ହଜାର ମହିଳା ଏବଂ ଆବାଳବୃଦ୍ଧବନିତା ନିଜ ହୃଦୟରେ ସ୍ଥାନ ଦେଇଥିବା ସେମାନଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ମୁହଁରୁ ପଦେ ଭାଷଣ ଶୁଣିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ନାଚ, ଗୀତ, ବାଜା ଓ ସ୍ଳୋଗାନରେ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା । ଶେଷରେ ସବୁ ପ୍ରତୀକ୍ଷାର ଅବସାନ ଘଟାଇ ସନ୍ଧ୍ୟା ଠିକ୍ ସାଢ଼େ ୫ଟାବେଳେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେବା ପୂର୍ବରୁ ଏହିସବୁ ଜନସଭାରେ ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ପଣ୍ଡା, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରୀତିରଞ୍ଜନ ଘଡ଼େଇ, ସାଂସଦ ମୁନ୍ନା ଖାଁ, ସୁଲତା ଦେଓ, ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ ପ୍ରମୁଖ ବରିଷ୍ଠ ନେତୃବନ୍ଦ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମତ ରଖିଥିଲେ ।

Related Articles

Leave a Reply

Your email address will not be published.

Back to top button