କ୍ୱାଡ୍ ସମ୍ମିଳନୀରେ ପିଏମ୍ ମୋଦୀଙ୍କୁ ‘ଅତ୍ୟନ୍ତ ଦମ୍ଭ ଓ ଶକ୍ତିଶାଳୀ ନେତା’ କହି ପ୍ରଶଂସା କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଫିଲିପାଇନ୍ସର ରାଜଧାନୀ ମାନିଲାଠାରେ ଅନୁଷ୍ଠିତ ଆସିଆନ୍ ଶିଖର ସମ୍ମିଳନୀ ଅବସରରେ କ୍ୱାଡ୍ ଦେଶଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କୁ ଜଣେ ଅତ୍ୟନ୍ତ ‘ଦମ୍ଭ ଓ ଶକ୍ତିଶାଳୀ ବ୍ୟକ୍ତି’ ବୋଲି ଅଭିହିତ କରିଛନ୍ତି। ନଭେମ୍ବର ୧୭ ତାରିଖରେ ଅନୁଷ୍ଠିତ ଏହି ଶୀର୍ଷ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଏଚି ଏକାଠି ହୋଇଥିଲେ। ବୈଠକରେ ଚାରି ଦେଶର ଶୀର୍ଷ ନେତୃବୃନ୍ଦ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସୁରକ୍ଷା, ରଣନୈତିକ ସହଯୋଗ ଏବଂ ସାମ୍ପ୍ରତିକ ଆଞ୍ଚଳିକ ଚ୍ୟାଲେଞ୍ଜ ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଆଲୋଚନା ପରେ ନେତାମାନେ ଏକ ପାରମ୍ପରିକ ଫଟୋ ପାଇଁ ଏକାଠି ପୋଜ୍ ଦେଇଥିଲେ। କ୍ୱାଡ୍ ମଞ୍ଚରୁ ସମ୍ବୋଧିତ କରି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ବହୁତ ଦମ୍ଭ ବ୍ୟକ୍ତି ଏବଂ ଜାପାନୀ ପ୍ରଧାନମନ୍ତ୍ରୀ ଆହୁରି କଠୋର। ଆରମ୍ଭରୁ ହିଁ ଏହି ନେତା ଏବଂ ଏହି ଦେଶଗୁଡ଼ିକ ସହିତ ଆମର ଅତ୍ୟନ୍ତ ଉତ୍ତମ ସମ୍ପର୍କ ରହିଆସିଛି। ମୁଁ ଦୀର୍ଘ ସମୟ ଧରି ସେମାନଙ୍କ ତିନି ଜଣଙ୍କ ସହ ମିଶି କାମ କରୁଛି; ସେମାନେ ସମସ୍ତେ ଭଲ ଲୋକ ଏବଂ ମୋର ଘନିଷ୍ଠ ବନ୍ଧୁ।” ଏହି ଅବସରରେ ଟ୍ରମ୍ପ ଇରାନକୁ ମଧ୍ୟ କଡ଼ା ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି।



