ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି ମହାରାଜା

ଭୁବନେଶ୍ୱର: ପବିତ୍ର ରଥଯାତ୍ରା ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବା ବେଳେ ଅଦିନିଆ ରଥଯାତ୍ରାକୁ ନେଇ ପୁଣି ଥରେ ବିବାଦ ଜୋର ଧରିଛି। ବିଦେଶରେ ଇସ୍କନ (ISKCON) ପକ୍ଷରୁ ଶାସ୍ତ୍ରୀୟ ନିୟମ ଉଲ୍ଲଂଘନ କରି ଆୟୋଜନ କରାଯାଉଥିବା ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରାକୁ ବନ୍ଦ କରିବା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ସିଧାସଳଖ ମଇଦାନକୁ ଓହ୍ଲାଇଛନ୍ତି। ଏହି ମନମାନୀ ବିରୋଧରେ ସେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଗୁରୁତ୍ୱପୂର୍ଣ୍ଣ ହସ୍ତକ୍ଷେପ ଦାବି କରିଛନ୍ତି। ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ଇସ୍କନ ପକ୍ଷରୁ ମନଇଚ୍ଛା ତିଥି ଓ ସମୟରେ ରଥଯାତ୍ରା ଆୟୋଜନ କରାଯାଉଛି। ଏହା ମୂଳ ରଥଯାତ୍ରାର ଶାସ୍ତ୍ରୀୟ ମାହାତ୍ମ୍ୟ, ଭାବ-ଭକ୍ତିର ତତ୍ତ୍ୱ ଏବଂ ଶ୍ରୀମନ୍ଦିରର ଶତାବ୍ଦୀ ଶତାବ୍ଦୀର ପରମ୍ପରାକୁ କ୍ଷୁଣ୍ଣ କରୁଛି। ଏଭଳି ଅଶାସ୍ତ୍ରୀୟ କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଓ ଗଜପତି ମହାରାଜାଙ୍କ ପକ୍ଷରୁ ବାରମ୍ବାର ଚିଠି ଲେଖାଯାଇଥିଲେ ମଧ୍ୟ ଇସ୍କନ କର୍ତ୍ତୃପକ୍ଷ ଏହାକୁ କ୍ରମାଗତ ଭାବେ ବେଖାତିର କରିଆସୁଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଗଜପତି ମହାରାଜା ରାଷ୍ଟ୍ରପତିଙ୍କୁ ଭେଟିବାକୁ ସମୟ ମାଗିଛନ୍ତି। ଏହାସହ ମହାପ୍ରଭୁଙ୍କ ଲୀଳାଖେଳାର ପବିତ୍ରତା ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଏହାକୁ ବନ୍ଦ କରନ୍ତୁ ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button