ବୈତରଣୀରେ ନାହିଁ ବନ୍ୟା ସ୍ଥିତି, ସତର୍କ ସଂକେତ ତଳକୁ ଖସିଲା ଆଖୁଆପଦାର ଜଳସ୍ତର: ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ପରେ ବୈତରଣୀ ନଦୀରେ ସୃଷ୍ଟି ହୋଇଥିବା ଆଂଶିକ ବନ୍ୟା ସ୍ଥିତିରେ ଏବେ ସୁଧାର ଆସିଛି। ବୈତରଣୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ନଦୀରେ କୌଣସି ବନ୍ୟା ସ୍ଥିତି ନାହିଁ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସ୍ପଷ୍ଟ କରିଛନ୍ତି। ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ସତର୍କ ସଂକେତ ତଳକୁ ଖସି ଆସିଛି। ଆଜି ଏଠାରେ ଜଳସ୍ତର ୧୭.୭ ମିଟର ରେକର୍ଡ କରାଯାଇଛି, ଯାହା ବିପଦ ସଂକେତ ଠାରୁ ଯଥେଷ୍ଟ ତଳେ ରହିଛି। ଯାଜପୁର ଜିଲ୍ଲାର ୪ରୁ ୫ଟି ପଞ୍ଚାୟତର କିଛି ତଳିଆ ଚାଷଜମିରେ ବନ୍ୟାଜଳ ପ୍ରବେଶ କରିଥିବା ସୂଚନା ମିଳିଛି। ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଯାଜପୁର କଣ୍ଟାପଡ଼ାରେ ଘାଇ ସୃଷ୍ଟି ହୋଇଥିବା ଖବରକୁ ଜଳ ସମ୍ପଦ ବିଭାଗ ଖଣ୍ଡନ କରିଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହା କୌଣସି ଘାଇ ନୁହେଁ। ଚାଷଜମିକୁ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ଲୋକେ ଏକ ମାଟିବନ୍ଧ ତିଆରି କରିଥିଲେ, ଯାହା ଉପର ଦେଇ ପାଣି ପ୍ରବାହିତ ହୋଇଛି। ଭବିଷ୍ୟତରେ ଏଭଳି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ମଥୁରାପଡ଼ା ଓ କଣ୍ଟାପଡ଼ା ସମେତ ତିନୋଟି ପ୍ରମୁଖ ସ୍ଥାନରେ ନୂଆ ସ୍ଲୁଇସ୍ ଗେଟ୍  ନିର୍ମାଣ କରିବାକୁ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button