ମୁଣ୍ଡଳିରେ କମୁଛି ଜଳସ୍ତର

କଟକ: ସମଗ୍ର ରାଜ୍ୟରେ ବନ୍ୟାକୁ ନେଇ ଉଦ୍ବେଗଜନକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ମୁଣ୍ଡଳିଠାରେ କିନ୍ତୁ ସାମାନ୍ୟ ଖସିଛି ଜଳସ୍ତର। ଏହାସତ୍ତ୍ୱେ ଏବେ ବି ବିପଦ ସଙ୍କେତ ଉପରେ ରହିଛି ମହାନଦୀ । ଗତକାଲି ମୁଣ୍ଡଳିଠାରେ ୧୨ ଲକ୍ଷ କ୍ୟୁସେକ ଉପରେ ଜଳସ୍ତର ଥିବା ବେଳେ ଆଜି ତାହା ୧୧ ଲକ୍ଷ ୭୭ ହଜାର ୨୪ କ୍ୟୁସେକରେ ପହଞ୍ଚିଛି। ମୁଣ୍ଡଳିଠାରେ ବିପଦ ସଂକେତ ୯୭.୨୫ ଫୁଟ୍ ଥିବା ବେଳେ ଜଳସ୍ତର ୯୭.୫୦ ଫୁଟ୍ ରହିଛି। ଏବେବି ମୁଣ୍ଡଳିରେ ବିପଦ ସଙ୍କେତ ଉପରେ ମହାନଦୀରେ ଜଳ ପ୍ରବାହିତ ହେଉଛି।
ଗତକାଲି ହୀରାକୁଦରୁ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୬.୫୬ ଫୁଟ୍ ରହିଛି। ଡ୍ୟାମ୍କୁ ୫ ଲକ୍ଷ ୯୭ ହଜାର ୯୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୬ ଲକ୍ଷ ୭୯ ହଜାର ୬୮୩ କ୍ୟୁସେକ୍ ଜଳ। ହୀରାକୁଦରୁ ଗତକାଲିଠୁ ଛଡ଼ା ଯାଇଥିବା ପାଣି ଆସନ୍ତା ଶୁକ୍ରବାର ସନ୍ଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।ସେତେବେଳକୁ ମୁଣ୍ଡଳି ଜଳପତ୍ତନ କମିଯାଇଥିବାରୁ ତାହା ଅଧିକ ବିପଦ ସୃଷ୍ଟି କରିବ ନାହିଁ ବୋଲି ବ୍ୟାରେଜ କର୍ତ୍ତୃପକ୍ଷ କହିଛନ୍ତି। ତେବେ ଉପରମୁଣ୍ଡରେ ବର୍ଷା ଆରମ୍ଭ ହେଲେ ସ୍ଥିତି ଅଣାୟତ ହେବା ଆଶଙ୍କା ଦେଖାଦେଇଛି।