ଇଜିପ୍ଟ: ଚର୍ଚ୍ଚରେ ଭୟଙ୍କର ଅଗ୍ନିକାଣ୍ଡ, ୪୧ ମୃତ

କାଇରୋ,୧୪ା୮/ଏଜେନ୍ସି: ଇଜିପ୍ଟର ଗୀଜା ସହରରେ ଥିବା ଏକ ଚର୍ଚ୍ଚରେ ରବିବାର ଭୟଙ୍କର ଅଗ୍ନିକାଣ୍ଡ ଘଟି ଅତିକମ୍‌ରେ ୪୧ ଜଣ ପୋଡ଼ିହୋଇ ପ୍ରାଣ ହରାଇଛନ୍ତି । ସେହିପରି ୧୪ ଜଣ ଆହତ ହୋଇଛନ୍ତି । ନ୍ୟୁଜ୍ ଏଜେନ୍ସି ରୟଟର ଅନୁସାରେ ଜଳଗହଳିପୂର୍ଣ୍ଣ ଇମ୍ବାବା ଅଞ୍ଚଳର ଅବୁ ସିଫିନ୍ ଚର୍ଚ୍ଚରେ ୫ ହଜାର ଲୋକ ଏକାଠି ହୋଇଥିବା ବେଳେ ଶର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିଲା । ଏହାପରେ ଚର୍ଚ୍ଚରେ ଧାଁଦଉଡ଼ ଆରମ୍ଭ ହୋଇଯାଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ସରକାରୀ ବୟାନ ଜାରି କରାଯାଇ ନାହିଁ । ମାତ୍ର ଶର୍ଟ ସର୍କିଟ୍‌ରୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ରାଷ୍ଟ୍ରପତି ଅବ୍‌ଦେଲ୍ ଫତହ ଅଲ୍‌-ସିସି କ୍ୟାପ୍‌ଟିକ୍ ଖ୍ରୀଷ୍ଟିଆନ୍ ପୋପ୍ ତବାଡ୍ରୋସ୍‌-୨ଙ୍କ ସହ ଫୋନ୍‌ରେ କଥାବାର୍ତ୍ତା କରି ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନ ବ୍ୟକ୍ତ କରିଛନ୍ତି । ରବିବାର ସକାଳେ ଲାଗିଥିବା ନିଆଁ ଲିଭାଇବା ପାଇଁ ୧୫ଟି ଦମକଳ ବାହନ ଘଟଣାସ୍ଥଳକୁ ପଠାଯାଇଥିଲା । ନିଆଁ ଚର୍ଚ୍ଚର ମୁଖ୍ୟ ପ୍ରବେଶ ଦ୍ୱାରକୁ ଅବରୋଧ କରିଦେବା ଫଳରେ ଧାଁଦଉଡ଼ ଆରମ୍ଭ ହୋଇଯାଇଥିଲା ବୋଲି ରୟଟର ରିପୋର୍ଟରେ ଦର୍ଶାଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅନ୍ତର୍ଭୁକ୍ତ । ନୀଳନଦୀ କୂଳରେ ଅବସ୍ଥିତ ଗୀଜା ଇଜିପ୍ଟର ଦ୍ୱିତୀୟ ବୃହତ୍ତମ ସହର ।

Related Articles

Leave a Reply

Your email address will not be published.

Back to top button