ମଥୁରା ଯମୁନା ନଦୀରେ ଡଙ୍ଗା ବୁଡ଼ି ୧୦ ତୀର୍ଥଯାତ୍ରୀ ମୃତ, ଅନେକ ନିଖୋଜ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମଥୁରା ମାଣ୍ଟ ଥାନା ଅନ୍ତର୍ଗତ ଯମୁନା ନଦୀରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ଡଙ୍ଗା ଦୁର୍ଘଟଣା ଘଟିଛି। କେସି ଘାଟ ନିକଟରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ପୋଲ ସହ ଧକ୍କା ଖାଇ ଓଲଟି ପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଓ ୩ ଜଣ ପୁରୁଷ ରହିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ। ଏବେ ସୁଦ୍ଧା ୧୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୦ରୁ ଅଧିକ ଶ୍ରଦ୍ଧାଳୁ ନିଖୋଜ ଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବର ଲୁଧିଆନାରୁ ଏକ ତୀର୍ଥଯାତ୍ରୀ ଦଳ ମଥୁରା ଭ୍ରମଣରେ ଆସିଥିଲେ। ପ୍ରାୟ ୩ ଡଜନରୁ ଅଧିକ ଭକ୍ତ ଏକ ଡଙ୍ଗାରେ ଯମୁନା ନଦୀ ପାର ହେଉଥିବା ବେଳେ ଅସାବଧାନତା ବଶତଃ ତାହା ନଦୀର ଏକ ପୋଲ ସହ ଧକ୍କା ଖାଇଥିଲା। ଫଳରେ ଡଙ୍ଗାଟି ନଦୀ ମଝିରେ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକ ଓ ଅନ୍ୟ ଡଙ୍ଗା ଚାଳକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଖବର ପାଇ ପୋଲିସ, ବୁଡ଼ାଳି ଏବଂ ଏନଡିଆରଏଫ (NDRF) ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଜାରି ରଖିଛନ୍ତି। ଉଦ୍ଧାର ହୋଇଥିବା ୧୫ ଜଣ ଆହତଙ୍କୁ ଚିକିତ୍ସା ପାଇଁ ବୃନ୍ଦାବନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button