ରାଜ୍ୟରେ ବଦଳିଲା ପାଗ; କମୁଛି ଶୀତ, ବଢ଼ୁଛି ତାତି

ଭୁବନେଶ୍ବର: ଓଡ଼ିଶାରେ ଋତୁ ବଦଳିବା ଆରମ୍ଭ ହୋଇଛି । ରାଜ୍ୟରେ ବସନ୍ତ ଋତୁ ଆରମ୍ଭ ହୋଇଥିବା ବେଳେ ଧୀରେ ଧୀରେ ରାତିରେ ଶୀତ କମୁଛି । ଏହାସହ ଦିନ ବେଳା ଖରା ତାତି ବଢ଼ୁଛି । ଭୋର ସମୟରେ ଅନେକ ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହେଉଛି । ବିଗତ 6 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରାରେ ବୃଦ୍ଧି ପରିଲକ୍ଷିତ ହୋଇଛି । ପଛକୁ ପଛ ପଶ୍ଚିମା ଝଡ଼ ଥିବାରୁ ଆଗାମୀ ଦିନରେ ଉଭୟ ସର୍ବନିମ୍ନ ଏବଂ ସର୍ବୋଚ୍ଚ ତାପମାତ୍ରା ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ 7 ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହାସହ 4ରୁ 5 ଦିନ ମଧ୍ୟରେ ତାପମାତ୍ରାରେ ମଧ୍ୟ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସେହିପରି ଶୀତକୁ ନେଇ କୌଣସି ସତର୍କ ସୂଚନା ନଥିବା ବେଳେ 26 ତାରିଖ ଯାଏଁ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ବିଶେଷ କରି ଉପକୂଳ ଓଡ଼ିଶାର କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି ।



