ବ୍ରିକ୍ସ ସମ୍ମିଳନୀରେ ଓଡ଼ିଶାର ଗୌରବ: ଅତିଥିଙ୍କୁ ମିଳିବ କୋରାପୁଟ କଫିର ସ୍ୱାଦ

ଭୁବନେଶ୍ୱର: ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ସ୍ଥାନ ପାଇଛି ଓଡ଼ିଶାର ପ୍ରସିଦ୍ଧ ‘କୋରାପୁଟ କଫି’। ସମ୍ମିଳନୀରେ ଯୋଗଦେଇଥିବା ବିଦେଶୀ ପ୍ରତିନିଧିମାନଙ୍କୁ ଦିଆଯାଉଥିବା ସ୍ୱାଗତ କିଟ୍ରେ ଏହି କଫିକୁ ସାମିଲ କରାଯିବା ସହ ଓଡ଼ିଶାର ଆଦିବାସୀ ଚାଷୀଙ୍କ ଉତ୍ପାଦ ବିଶ୍ୱ ଦରବାରରେ ପହଞ୍ଚିପାରିଛି। ଭାରତର ବିଭିନ୍ନ ପ୍ରାନ୍ତରୁ ଚୟନ କରାଯାଇଥିବା ଶ୍ରେଷ୍ଠ ଆଞ୍ଚଳିକ ସାମଗ୍ରୀଗୁଡ଼ିକ ମଧ୍ୟରେ କୋରାପୁଟ ଜିଲ୍ଲାର ଏହି ବିଶେଷ ‘ଆରାବିକା କଫି ଟାଇଗର ବ୍ରାଇଟ୍’ ବ୍ଲେଣ୍ଡ ସ୍ଥାନ ପାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସ୍ୱେଚ୍ଛାକୃତ ଅନୁରୋଧ କ୍ରମେ ‘ଓଡ଼ିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡ’ ପକ୍ଷରୁ ‘ଟାଇଗର ବ୍ରାଇଟ୍’ ବ୍ଲେଣ୍ଡର ୧୫୦୦ରୁ ଅଧିକ ପ୍ୟାକେଟ୍ ନୂଆଦିଲ୍ଲୀ ପଠାଯାଇଛି। ରାଜ୍ୟର ଆଦିବାସୀ ଚାଷୀଙ୍କ କଠିନ ପରିଶ୍ରମ ଓ ଗୁଣାତ୍ମକ ଉତ୍ପାଦନ ଯୋଗୁଁ ଆଜି ଆନ୍ତର୍ଜାତୀୟ ସ୍ତରରେ କୋରାପୁଟ କଫି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।



