ଜାତିଗତ ପ୍ରମାଣପତ୍ର ଜାଲିୟାତି ଅଭିଯୋଗ କରି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ୱର: ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଜାତିଗତ ପ୍ରମାଣ ପତ୍ର ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ। ମନ୍ତ୍ରୀ ଜାଲିୟାତି କରି ଜାତିଗତ ପ୍ରମାଣ ପତ୍ର ହାସଲ କରି ନିର୍ବାଚନ ଲଢିଛନ୍ତି ବୋଲି କଂଗ୍ରେସ ଦାବୀ କରିଛି। ଆଜି ଭୁବନେଶ୍ୱର ସ୍ଥିତ ପ୍ରଦେଶ କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳ ପକ୍ଷରୁ ମନ୍ତ୍ରୀଙ୍କ ଜାଲିଆତିକୁ ନେଇ ଖୋଲାସା କରାଯାଇଛି। ବରିଷ୍ଠ ନେତା ଶିବାନନ୍ଦ ରାୟ, ପିସିସି ମୁଖପାତ୍ର ଅଭିଷେକ୍ ମହାନନ୍ଦ, ମୁଖପାତ୍ର ନିଶିକାନ୍ତ ମିଶ୍ର ଏବଂ ବିଭୁତି ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଜାଲିଆତିର ବିଭିନ୍ନ ତଥ୍ୟପ୍ରମାଣ ଉପସ୍ଥାପନ କରିଥିଲେ। ମୁଖପାତ୍ର ଅଭିଷେକ୍ ମହାନନ୍ଦ କହିଥିଲେ, ମନ୍ତ୍ରୀ ମୁକେଶ ମହାଲିଙ୍ଗ ପୂର୍ବରୁ ଜାଲ ଜାତି ପ୍ରମାଣପତ୍ର ଦେଇ ପାଠ ପଢିବା ସହ ସରକାରୀ ଚାକିରି କରିବା ଆଦି ଅନ୍ୟାନ୍ୟ ସରକାରୀ ସୁବିଧା ହାସଲ କରିଛନ୍ତି। ମନ୍ତ୍ରୀଙ୍କ ଏହି ଜାଲିଆତିକୁ ନେଇ ଅନେକ ଦିନ ତଳୁ ପାଟଣାଗଡ଼ର ଡିଙ୍ଗର କୁମ୍ଭାର ନାମକ ଜଣେ ଆଇନଜୀବି ତଥା ସମାଜସେବୀ କୋର୍ଟଙ୍କୁ ଅବଗତ କରାଇଥିଲେ। ଶ୍ରୀ ମହାନନ୍ଦ କହିଛନ୍ତି, ବାରମ୍ବାର ଅଭିଯୋଗ ହେଲେ ସୁଦ୍ଧା ଭାଜପା ସରକାର ,ମନ୍ତ୍ରୀଙ୍କ ଜାଲିଆତି ଉପରେ କାର୍ଯ୍ୟାନୁଷ୍ଠାନ ନ ନେବାରୁ ପୁର୍ନବାର ସମାଜସେବୀ ଡିଙ୍ଗର କୁମ୍ଭାର ପଦମପୁର ଥାନାରେ ମନ୍ତ୍ରୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଥାନା ଆଇଆଇସି କେଶ୍ ଟିକୁ ରୁଜୁ କରି ନ ଥିଲେ। ପରେ ଏନେଇ ଏକ ମାମଲା ହାଇକୋର୍ଟରେ ଅଭିଯୋଗ କରି ଆବେଦନ କରିବା ପରେ ହାଇକୋର୍ଟ ପଦମପୁର ଏସଡିଜେଏମ୍ କୋର୍ଟକୁ ମାମଲାର ବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପଦମପୁର ଏସଡିଜେଏମ୍ କୋର୍ଟ ମନ୍ତ୍ରୀଙ୍କ ବିରୁଦ୍ଧରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପାଇଲା ପରେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍। ମନ୍ତ୍ରୀଙ୍କ ଜାଲିଆତିର ଯଥେଷ୍ଟ ପ୍ରମାଣ ଥିଲେ ସୁଦ୍ଧା ପୋଲିସ କାହିଁକି ଏତଲା ରୁଜୁ କରୁନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି। କୋର୍ଟ କହିଛି ଏଫଆଇଆର ରୁଜୁ କର ଆଉ ଏପଟେ ପୋଲିସ ନୀରବ। ଏସଡିଜେଏମ୍ କୋର୍ଟଙ୍କ ଆଦେଶ କୁ କେଉଁ ସାହସରେ ପୋଲିସ ଅବମାନନା କରୁଛି ? କାହା ଚାପରେ ରହୁଛି ପୋଲିସ ? ଏଠି ମନ୍ତ୍ରୀ ମୁକେଶଙ୍କ ପ୍ରଭାବ କାମ କରୁଛି କି ବୋଲି କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି।