ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆମେ ଏପରି ଏକ ଭୁବନେଶ୍ଵର ଗଢିବାକୁ ଚାହୁଁଛୁ, ଯେଉଁଠି ଗରିବ ପରିବାର ସମ୍ମାନର ସହ ରହି ପାରିବେ, ଶ୍ରମିକ ମାନେ ସୁଲଭ ଅବାସ ପାଇ ପାରିବେ, ଯୁବପିଢି ନିଜ ପ୍ରତିଭା ବିକଶିତ କରିପାରିବେ ଏବଂ ପ୍ରତ୍ୟେକ ନାଗରିକ ସୁସ୍ଥ ଓ ଉନ୍ନତ ଜୀବନଯାପନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଘାଟିକିଆ ଠାରେ ସୁଲଭ ଆବାସିକ ପ୍ରକଳ୍ପ ଲୋକାର୍ପଣ ଅବସରରେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଘାଟିକିଆଠାରେ ‘ନୀଳକଣ୍ଠେଶ୍ୱର ନିବାସ’ ଏବଂ ଗାଡ଼କଣଠାରେ ‘ମୁକ୍ତେଶ୍ୱର ରେସିଡେନ୍ସି’ ନାମକ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି | ଗାଡ଼କଣରେ ୬ ଏକରରୁ ଅଧିକ ଜମି ଉପରେ ପ୍ରାୟ ୯୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୮୦ଟି ଆବାସ ଗୃହ ଏବଂ ଘାଟିକିଆରେ ୫ ଏକରରୁ ଅଧିକ ଜମି ଉପରେ ୬୬ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯୨୮ଟି ଆବାସ, ଅର୍ଥାତ୍ ମୋଟ ୧,୬୦୮ଟି ସୁଲଭ ଆବାସ ସହ ଭୁବନେଶ୍ଵର ଓ ଏହାର ଆଖପାଖ ଅଞ୍ଚଳରେ ୧୨ଟି ଅତ୍ୟାଧୁନିକ ଖେଳ ପଡିଆ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିସହିତ ବୁଦ୍ଧ ବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀଠାରେ ମଧ୍ୟ ୯୬୨ଟି ପରିବାରକୁ ଗୃହପ୍ରବେଶ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଖାଦ୍ୟ ପରେ ଜଣେ ବ୍ୟକ୍ତିଙ୍କ ପାଇଁ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଆବଶ୍ୟକତା ହେଉଛି ‘ମୁଣ୍ଡ ଉପରେ ଛାତ’। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେବଳ ଘର ନିର୍ମାଣ ନୁହେଁ, ବରଂ ଶୌଚାଳୟ, ପାଇପ୍ ଯୋଗେ ପିଇବା ପାଣି, ବିଦ୍ୟୁତ୍ ଏବଂ ରନ୍ଧନ ଗ୍ୟାସ ଯୋଗାଇ ଦେଇ ଗରିବ ପରିବାରଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରୁଛନ୍ତି। ଓଡ଼ିଶା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ୨ ଲକ୍ଷରୁ ଅଧିକ ଘର ମଞ୍ଜୁର ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ପ୍ରାୟ ପାଞ୍ଚ ଲକ୍ଷ ଘର ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।



