ବନ୍ଦ କୋଠରୀରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ପଞ୍ଚାୟତର ଭୀମଖୋଲ ଗ୍ରାମରେ ଏକ ଅତ୍ୟନ୍ତ ଅଭାବନୀୟ ଓ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୋଟିଏ ବନ୍ଦ କୋଠରୀ ଭିତରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦମ୍ପତି ହେଲେ ସଂକୀର୍ତ୍ତନ ଗହୀର (୨୩) ଓ ତାଙ୍କ ସ୍ତ୍ରୀ ସୁଭଦ୍ରା ଗହୀର (୨୦)। ପ୍ରାୟ ଦେଢ଼ ବର୍ଷ ପୂର୍ବେ ଉଭୟଙ୍କ ବିବାହ ହୋଇଥିବା ବେଳେ, ଏଭଳି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, କୋଠରୀ ଭିତରେ ଥିବା ଖଟ ଉପରୁ ସଂକୀର୍ତ୍ତନଙ୍କ ମୃତଦେହ ଗୋଡ଼ ବନ୍ଧା ଅବସ୍ଥାରେ ମିଳିଥିବା ବେଳେ ତାଙ୍କ ନିକଟରୁ ସ୍ତ୍ରୀ ସୁଭଦ୍ରାଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ଗୋଟିଏ ସ୍ଥାନରୁ ଏହିଭଳି ସନ୍ଦେହଜନକ ସ୍ଥିତିରେ ଦୁଇଜଣଙ୍କ ମୃତଦେହ ମିଳିବା ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି।ଖବର ପାଇ ଖଡ଼ିଆଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟା ନା ଆତ୍ମହତ୍ୟା କିମ୍ବା ଏହା ପଛରେ କୌଣସି ଅପରାଧିକ ଷଡ଼ଯନ୍ତ୍ର ରହିଛି, ସେନେଇ ପୁଲିସ ବିଭିନ୍ନ ଦିଗରୁ ଯାଞ୍ଚ ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button