ପରଲୋକରେ ସଙ୍ଗୀତର ଯାଦୁଗର ଅମରେନ୍ଦ୍ର ମହାନ୍ତି

ଭୁବନେଶ୍ୱର : ଅଫେରା ରାଇଜକୁ ଚାଲିଗଲେ ଓଡ଼ିଆ ଆଲବମ, ଭଜନ ବିଶେଷ କରି ସିନେମା ଜଗତର ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି | କୋଭିଡରେ ଗୁରୁତର ହୋଇ ଭୁବନେଶ୍ୱର ସମ ହସ୍ପିଟାଲର ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିଲେ | ଆଜି ସକାଳେ ତାଙ୍କର ପରଲୋକ ଘଟିଛି | ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା | ତାଙ୍କ ବିୟୋଗରେ ସଂଗୀତ ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଜି ଶୋକର ବାତାବରଣ |

ଅମରେନ୍ଦ୍ରଙ୍କୁ ଅଳ୍ପ କିଛି ଦିନ ତଳେ ଭେଟିଥିବା ଖଗେଶ୍ୱର ଜୟପୁରିଆ ନାମକ ଜଣେ ବ୍ୟକ୍ତିଙ୍କ ଲେଖାଟିଏ ଆମର ହସ୍ତଗତ ହୋଇଛି | ସେ ଲେଖାଟିକୁ ତାଙ୍କର ସହମତି କ୍ରମେ ପ୍ରକାଶ କରିଛୁ |

” ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁ

ଜନ୍ମ ହେଲେ ମରଣ ଅବସ୍ୟମ୍ଭାବି। ଭାଗବତରେ କୁହାଯାଇଛି – ”ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ” ମାତ୍ର ଅଳ୍ପ କେତେ ବୟସରେ ଆପଣଙ୍କ ଆକସ୍ମିକ ମୃତ୍ୟୁ ସାରା ଓଡ଼ିଶାବାସୀଙ୍କୁ ସ୍ତବ୍ଧ କରି ଦେଇଛି। ଶୋକର ଛାୟାରେ ସମସ୍ତେ ଆଜି ନୀରବ ହୋଇ ଯାଇଛନ୍ତି। କାରଣ –

ମଣିଷ ମରଇ ଦିନେ,
ଜନ୍ମ ହେଲେ ଦେବତା ଯେ ମରେ ;
ସାର୍ଥକ ଜୀଵନ ତା’ର,
ଯାହା ପାଇଁ ମାଟି ଗୋଡି ଝୁରେ ।

ସେହିପରି ଏକ ସାର୍ଥକ ଜୀଵନ ଥିଲା ଆପଣଙ୍କର । ଆପଣ ଥିଲେ ଅଜାତଶତ୍ରୁ। ଆହୁରି ଅନେକ ବସନ୍ତ ପୁଷ୍ପିତ, ପଲ୍ଲବିତ ହେବାର ଦେଖିବାକୁ ବାକି ରହିଗଲା। ଆହୁରି ଅନେକ କୋଇଲିକୁ ଶୁଣିବାର ବାକି ରହିଗଲା ଆପଣଙ୍କର। ତା ସହିତ ବାକି ରହିଗଲା ଅନେକ ଗୀତକୁ ସ୍ୱର ଦେବାର। ଯଥାର୍ଥରେ କୁହାଯାଇଛି –

ତୁମ ମାଟି ଦେହ ଗ୍ରାସିଛି ଶ୍ମଶାନ,
ମାତ୍ର ଯଶଦେହେ ତୁମେ ଆୟୁଷମାନ ।

ସହନଶୀଳତା, ବିନୟଭାଵ, ନିରାହଂକାରୀ ଥିଲେ ଆପଣ। ସରଳତା, ଅକପଟତା ଓ ଅମାୟିକତାର ପରିଚୟ ଥିଲା ଆପଣଙ୍କ ବ୍ୟକ୍ତିତ୍ୱ। ଆପଣଙ୍କ ପ୍ରତିଭା ହିଁ ଥିଲା ଆପଣଙ୍କ ଜୀବନର ପଞ୍ଚଭୂତ। ସ୍ୱର ସାମ୍ରାଜ୍ୟର ତପୋବନରେ ଆପଣ ଥିଲେ ଜଣେ ସିଦ୍ଧ ସାଧକ। ଆତ୍ମଗତ ଭାବୋଲ୍ଲାସ ଓ ମନ୍ମୟ ଅନ୍ତରଙ୍ଗତା ଥିଲା ଆପଣଙ୍କ ନୀତିମୟ ଜୀବନଧାରାର ଆଦର୍ଶ। ଆବେଗ ସହିତ ଯୁକ୍ତିବତ୍ତାର ମଧୁର ସମ୍ମୋନୟ ଥିଲା ଆପଣଙ୍କ ସ୍ୱରରେ।

ଏଇ କିଛି ଦିନ ତଳେ ଆପଣଙ୍କ ସହିତ କିଛି ସମୟ ବିତେଇବାର ସୁଯୋଗ ପାଇଥିଲି। ଗୀତ ସ୍ୱର କରିବାଠୁଁ ରେକେଡିଂ ସରିବା ଯାଏ ମୋତେ ବାରମ୍ବାର ପଚାରୁଥିଲ – କଣ ମନକୁ ଛୁଉଁଛି ତ, ନା ଆଉ ଥରେ ଗାଇବି।

କେତେଥର ମତେ କହିଛନ୍ତି ଆପଣ, ବିଜୁରେ ଦେଖିଚାହିଁ ରହିବୁ, ବେଶୀ ବୁଲାବୁଲି କରିବୁନି, ତୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବାପା, ତୋ ନାଁ ରେ ମୁଁ ଗୀତ କରିଛି ଆଉ ତୋ ପୁଅ ପାଇଁ ବି ଗୀତ କରିଛି l ତୋର ଯୋଉ କୋଳି ମଞ୍ଜି ହସ୍ତାକ୍ଷର ମୁଁ ପଢିଲେ ସ୍ୱର କରିବାକୁ ଆଉ ଗାଇବାକୁ ଭାରି ଜୋସ ଯୋଗାଏ l

ହଜିଗଲା ଚିରଦିନ ପାଇଁ ଆପଣଙ୍କ ସ୍ୱର। ଶୁଣିବାକୁ ଆଉ ମିଳିବ ନାହିଁ ସଙ୍ଗୀତର ସେ ମଧୁର ମୂର୍ଚ୍ଛନା। ଆଜି ଜୀବନର ବେଳାଭୁମିରୁ ସ୍ମୃତିର ଶାମୁକା ସାଉଁଟି ଆପଣଙ୍କ ଦକ୍ଷତା ଓ ପାରଦର୍ଶିତାକୁ ମୁଁ ବର୍ଣ୍ଣନା କରିବାକୁ ସତରେ ସମ୍ପୂର୍ଣ୍ଣ ଅକ୍ଷମ l

ଯେତେଦିନ ଯାଏ ଜୀଵନ ଯମୁନା
ନଈ ଯାଉଥିବ ବୋହି,
ଯେତେଦିନ ଯାଏ ଆକାଶରେ ଥାଇ
ଜହ୍ନ ମାରୁଥିବ ହାଇ,
ଯେତେଦିନ ଯାଏ ବଗିଚା ଛାତିରେ
ଫୁଲ ଫୁଟି ହସୁଥିବ,
ସେତେଦିନ ଯାଏ ଆପଣଙ୍କ ମୁହଁ
ଆଖି ସାମ୍ନାରେ ଦିଶୁଥିବ ।।

ହେ ମହାନ ଆତ୍ମନ !!!
ଆଜି ଆପଣଙ୍କର ଅମର ଆତ୍ମାର ସଦଗତି ପାଇଁ ଈଶ୍ୱରଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଅଛି।

।ଇତି।
ଖଗେଶ୍ୱର ଜୟପୁରିଆ (ବିଜୁ)

Related Articles

Leave a Reply

Your email address will not be published.

Back to top button