ଘରେ ପହଁଚିବ ମଦ

ଭୁବନେଶ୍ୱର : ଲକଡାଉନରେ ମଦ ଦୋକାନ ବନ୍ଦ ହୋଇଯିବ ବୋଲି ଲୋକମାନେ ପେଟିପେଟି ମଦ ଉଠାଇନେଲେ  । ଅନେକ କଳାବଜାରୀ ପାଇଁ ଅଟୋ ଓ ଡାଲା ଅଟୋବି ମଦ ଷ୍ଟକ କରି ରଖିନେଲେ  । ହେଲେ ପୂର୍ବବର୍ଷ ଭଳି ରାଜ୍ୟବାସୀଙ୍କୁ ଘରେ ମଦ ମିଳିବ ବୋଲି ଯୋଜନା ହୋଇଛି । ହୋମ ଡେଲିଭରି ମାଧ୍ୟମରେ ଘରେ ଘରେ ମଦ ଯୋଗାଇବା ପାଇଁ ଅବକାରୀ କମିସନରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖା ଯାଇଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ସବୁଜ ସଂକେତ ଦେଇଛନ୍ତି । ଅନ୍ୟପଟେ ପୂର୍ବ ବର୍ଷ ଭଳି ହୋମ ଡେଲିଭରି ବ୍ୟବସ୍ଥା ପାଇଁ ପ୍ରସ୍ତୁତ ରହିବାକୁ ଅବକାରୀ କମିସନରଙ୍କ ଅଫିସ ସମସ୍ତ ଜିଲ୍ଲା ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛି । ସୂଚନା ଅନୁସାରେ, ୨୦୨୦ରେ କରୋନାର ପ୍ରଥମ ଲହର ବେଳେ ୨୧ ତାରିଖରୁ ମଦ ଦୋକାନ ସମ୍ପୂର୍ଣ୍ଣ ସିଲ କରି ଦିଆଯାଇଥିଲା । ରାଜ୍ୟରେ ଚୋରା ମଦ କାରବାର ବୃଦ୍ଧି ପାଇବାରୁ ନାକେଦମ ହୋଇଥିଲା ଅବକାରୀ ବିଭାଗ । ଗୋଟିଏ ପଟେ ଦୋକାନ ବନ୍ଦ ରହିବା ଓ ମଦ ଦୋକାନୀମାନେ ଲାଇସେନ୍ସ ଫି ଦାଖଲ କରିବାରୁ କ୍ଷତି ସହିଥିଲେ । ମେ ୨୪ ତାରିଖରେ ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିଥିଲା । କିନ୍ତୁ ହୋମ ଡେଲିଭରି ବ୍ୟବସ୍ଥା ମାଧ୍ୟମରେ । ଚଳିତ ବର୍ଷ ଲକଡାଉନରେ ମଧ୍ୟ ଅବକାରୀ ବିଭାଗ ସମାନ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରୁଛି । ଲକଡାଉନରେ ଦୋକାନ ବନ୍ଦ ରହିଲେ ଗାଁ ଗାଁରେ ଚୋରା ମଦର ବନ୍ୟା ହେବ । ଏଭଳି ଆଶଙ୍କା ଅବକାରୀ ବିଭାଗ କରୁଛି । ଜିଲ୍ଲାସ୍ତରରୁ ବି ଅବକାରୀ ଏସପିମାନେ ଗୁଇନ୍ଦା ରିପୋର୍ଟ ଅବକାରୀ କମିସନରଙ୍କ ଅଫିସରେ ଦାଖଲ କରିଛନ୍ତି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତ୍ୱର ସହିତ ନେଇଛି ଅବକାରୀ କମିସନର ଅଫିସ । ରାଜ୍ୟରେ ଥିବା ୧୧ ଶହ ୧୭ ଠିପି ବନ୍ଦ ଓ ୬୩୨ ଠିପି ଖୋଲା ମଦ ଦୋକାନକୁ ହୋମ ଡେରିଭରି ମାଧ୍ୟମରେ ମଦ ଗ୍ରାହକଙ୍କ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବାକୁ ପ୍ରସ୍ତୁତ କରାଯାଇଛି ।

 

Related Articles

Leave a Reply

Your email address will not be published.

Back to top button