ସରକାରୀ ବାସଭବନ ଛାଡ଼ିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ  ୧୨ ତୁଗଲକ୍ ଲେନରେ ଥିବା ତାଙ୍କ ସରକାରୀ ବାସଭବନ ସମ୍ପୂର୍ଣ୍ଣ ରୂପେ ଖାଲି କରିଛନ୍ତି। ସାଂସଦ ଭାବରେ ତାଙ୍କୁ ଏହି ବଙ୍ଗଳା ମିଳିଥିଲା । ରାହୁଲ ପ୍ରାୟ ଦୁଇ ଦଶନ୍ଧି ଧରି ଏହି ଘରେ ରହୁଥିଲେ। ରାହୁଲ ଏବେ ତାଙ୍କ ମା’ ସୋନିଆ ଗାନ୍ଧୀଙ୍କ ସରକାରୀ ବାସଭବନ ୧୦ ଜନପଥରେ ରହିବେ। ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଗତ ମାସରେ ଲୋକସଭା ସାଂସଦ ଭାବେ ଅଯୋଗ୍ୟ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ୧୨ ତୁଗଲକ୍ ଲେନରେ ଥିବା ତାଙ୍କ ସରକାରୀ ବଙ୍ଗଳା ଖାଲି କରିଥିଲେ। ରାହୁଲ ଏପ୍ରିଲ୍ ୧୪ରେ ତାଙ୍କ ଅଫିସ୍ ଏବଂ କିଛି ବ୍ୟକ୍ତିଗତ ଜିନିଷକୁ ସରକାରୀ ବଙ୍ଗଳାରୁ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ସରକାରୀ ବାସଭବନକୁ ସ୍ଥାନାନ୍ତର କରିଥିଲେ। ‘ମୋଦୀ ସାଙ୍ଗିଆ’ବୟାନ ମାମଲାରେ ଦୁଇ ବର୍ଷ କାରାଦଣ୍ଡ ପରେ ଗତ ମାସରେ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଥିଲା । ଏହା ପରେ ତାଙ୍କୁ ତାଙ୍କ ସରକାରୀ ଘର ଖାଲି କରିବାକୁ ନୋଟିସ୍ ଦିଆଯାଇଥିଲା। ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ ଏପ୍ରିଲ ୨୨ ତାରିଖ ସୁଦ୍ଧା ସରକାରୀ ବାସଭବନ ଛାଡ଼ିବାକୁ ଲୋକସଭା ସଚିବାଳୟ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ନୋଟିସ ଜାରି କରାଯାଇଥିଲା। ନିୟମ ଅନୁଯାୟୀ କୌଣସି କାରଣରୁ କୌଣସି ସାଂସଦଙ୍କ ସଦସ୍ୟତା ରଦ୍ଦ ହୋଇଗଲେ ସେ ଆଉ ସରକାରୀ ଘରେ ରହିପାରିବେ ନାହିଁ। ତା’ସହିତ ଘର ଛାଡ଼ିବା ପାଇଁ ତାଙ୍କୁ ମାସେ ସମୟ ଦେବାର ବ୍ୟବସ୍ଥା ରହିଛି। ଘର ଛାଡ଼ିବାକୁ ନୋଟିସ୍ ପାଇବା ପରେ ଏପ୍ରିଲ ୧୪ରୁ ଏହି ପ୍ରକ୍ରିୟା ଆରମ୍ଭ କରି ଦେଇଥିଲେ ରାହୁଲ। ସେହିଦିନ ସେ ତାଙ୍କ ଅଫିସ୍‌କୁ ସେଠାରୁ ତାଙ୍କ ମା’ଙ୍କ ଘରକୁ ଉଠାଇ ନେଇଥିଲେ। ତା’ ସହିତ କିଛି ଜିନିଷପତ୍ର ମଧ୍ୟ ନେଇଯାଇଥିଲେ।

Related Articles

Leave a Reply

Your email address will not be published.

Back to top button