ଉଗାଣ୍ଡାର ସୁପର ମମ୍‌

୪୦ ବର୍ଷ ବୟସରେ ୪୪ ସନ୍ତାନଙ୍କ ଜନନୀ

କାମ୍ପାଲା: ଆଫ୍ରିକୀୟ ରାଷ୍ଟ୍ର ଉଗାଣ୍ଡାର ମରିୟମ୍ ନାବାତାଞ୍ଜି ନାମ୍ନୀ ମହିଳାଙ୍କୁ ‘ସୁପର ମମ୍‌’ ଆଖ୍ୟା ଦିଆଯାଇଛିି । ମରିୟମ୍‌ଙ୍କୁ ବର୍ତ୍ତମାନ ୪୩ ବର୍ଷ ବୟସ ହୋଇଥିବାବେଳେ ସେ ଇତିମଧ୍ୟରେ ୪୪ ଜଣ ସନ୍ତାନଙ୍କୁ ଜନ୍ମ ଦେଇ ଏଭଳି ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ଅବଶ୍ୟ ବିଗତ ତିନିବର୍ଷ ହେଲା ସେ ଗର୍ଭଧାରଣ କରିନାହାନ୍ତି । ଏମାନଙ୍କ ମଧ୍ୟରୁ ୬ ସନ୍ତାନଙ୍କ ମୃତ୍ୟୁ ହୋଇସାରିଥିବାବେଳେ ୨୦ ପୁଅ ଓ ୧୮ ଜଣ ଝିଅ ଜୀବିତ ଅଛନ୍ତି । ସବୁ ଧନସମ୍ପତ୍ତି ଚଳୁ କରି ସ୍ୱାମୀ ଅନ୍ୟତ୍ର ପଳାଇଯାଇଥିବାବେଳେ ମରିୟମ୍ କଷ୍ଟେମଣ୍ଟେ ପରିବାର ଭରଣ ପୋଷଣ କରୁଥିବା ଗଣମାଧ୍ୟମ ଆଗରେ କହିଛନ୍ତି । ୧୨ ବର୍ଷ ବୟସ ହୋଇଥିବାବେଳେ ପିତାମାତା ମରିୟମଙ୍କୁ ବିବାହ ଆଳରେ ବିକ୍ରି କରିଦେଇଥିଲେ । ୧୩ ବର୍ଷ ବୟସରେ ସେ ପ୍ରଥମେ ଗର୍ଭବତୀ ହୋଇଥିଲେ । ପ୍ରଥମ ଗର୍ଭରୁ ଏକାଥରକେ ୩ଟି ସନ୍ତାନ ଜନ୍ମଗ୍ରହଣ କରିଥିଲେ । ଚାରିଥର ଯମଜ ସନ୍ତାନଙ୍କୁ, ପାଞ୍ଚଥର ତିନିଜଣଙ୍କୁ, ଆଉ ପାଞ୍ଚଥର ୫ ଜଣ ଲେଖାଏଁ ଏବଂ ଥରେ ଏକମାତ୍ର ଶିଶୁକୁ ସେ ଜନ୍ମ ଦେଇଥିବା ଜଣାପଡିଛି । ଏ ସମ୍ପର୍କରେ କାମ୍ପାଲାର ମୁଲାଗୋ ହସ୍ପିଟାଲର ସ୍ତ୍ରୀରୋଗ ବିଶେଷଜ୍ଞ ଡାଃ ଚାର୍ଲସ କିଗୁଣ୍ଡୁ କହିଛନ୍ତି ଯେ ମରିୟମ୍‌ଙ୍କ ଏଭଳି ଅସାଧାରଣ ଗର୍ଭଧାରଣ କ୍ଷମତା ସମ୍ପୂର୍ଣ୍ଣ ବଂଶଗତ ଲକ୍ଷଣ (ହେରିଡିଟାରୀ) । ଅପରପକ୍ଷରେ ଏତେ ସଂଖ୍ୟକ ସନ୍ତାନଙ୍କୁ ଜନ୍ମ ଦେଇଥିବା ଈଶ୍ୱରଙ୍କ କୃପା ବୋଲି ମରିୟମ କହିଛନ୍ତି । ନିଜର ୩୮ ଜଣ ପିଲାଙ୍କ ସହ ମରିୟମ ବର୍ତ୍ତମାନ କାମ୍ପାଲାଠାରୁ ୩୦ ମାଇଲ ଦୂର ଏକ ଗ୍ରାମରେ ବାସ କରୁଛନ୍ତି । ଚାରି ବଖରା ଘରେ ସମଗ୍ର ପରିବାର ଚଳିବା ନିହାତି କଷ୍ଟକର ହେଉଥିବା ସେ କହିଛନ୍ତି । ଏପରିକି ଶୋଇବା ଘରେ ପିଲାଙ୍କ ପାଇଁ ଟ୍ରେନ୍ ବର୍ଥ ଭଳି ଖଟ ବ୍ୟବସ୍ଥା କରାଯାଇଛି । ସ୍ୱାମୀ ପଳାଇବାପରେ କିଛି ବଦାନ୍ୟ ବ୍ୟକ୍ତି ଓ ସଂସ୍ଥା ତାଙ୍କ ପରିବାରକୁ ବ୍ୟବହାର ଉପଯୋଗୀ ଅନେକ ସାମଗ୍ରୀ ଦାନ କରୁଥିବା ସେ କହିଛନ୍ତି । ସ୍ୱାମୀଙ୍କ କଥା ପଚାରିଲେ ମରିୟମ ଚିହିଁକି ଉଠୁଛନ୍ତି । ଖାଲି ମଦ ପିଇବା ଏବଂ ପିଲା ଜନ୍ମ କରିବା ସ୍ୱାମୀଙ୍କର କର୍ତ୍ତବ୍ୟ ଥିଲା । ବାକି ସବୁ ଦାୟିତ୍ୱ ମରିୟମଙ୍କୁ ମୁଣ୍ଡାଇବାକୁ ପଡୁଥିଲା । ତେଣୁ ଜୀବନରେ ସୁଖ କ’ଣ, ସେ ଅନୁଭବ କରିନାହାନ୍ତି ବୋଲି ମରିୟମ୍ କୋହଭରା କଣ୍ଠରେ କହିଛନ୍ତି । ସବୁଠାରୁ ବଡ କିବୁକା (ପୁଅ)ଙ୍କ ବୟସ ବର୍ତ୍ତମାନ ୨୭ ବର୍ଷ । ଏତେଗୁଡିଏ ପିଲାଙ୍କ ଖାଦ୍ୟପେୟ, ପୋଷାକ, ପାଠପଢା ଖର୍ଚ୍ଚ ତୁଲାଇବା ଅସମ୍ଭବ ହୋଇପଡୁଥିବା ସେ କହିଛନ୍ତି । ଫଳରେ ୧୫ ଜଣ ପିଲାଙ୍କୁ ଅଧାରୁ ପାଠପଢା ଛାଡି କାମ ଯୋଗାଡ କରିବାକୁ ପଡିଛି । ତେବେ ଅଧିକ ସଂଖ୍ୟକ ସନ୍ତାନଙ୍କୁ ଜନ୍ମ ଦେବା ଘଟଣାରେ ରୁଷ୍‌ର ଭାଲେଣ୍ଟିନା ଭାସତିଲୟେଭ୍ ବିଶ୍ୱରେ ରେକର୍ଡ କରିଛନ୍ତି । ୧୭୨୫ରୁ ୧୭୬୫ ମସିହା ମଧ୍ୟରେ ଭାଲେଣ୍ଟିନା ମୋଟ ୬୭ ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଏମାନଙ୍କ ମଧ୍ୟରେ ୧୬ ଥର ଯମଜ, ୭ ଥର ତିନିଜଣିଆ, ୪ ଥର ଚାରିଜଣିଆ ଶିଶୁ ଅନ୍ତର୍ଭୁକ୍ତ ।

Related Articles

Leave a Reply

Your email address will not be published.

Back to top button