CEC ଜ୍ଞାନେଶ କୁମାରଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ପ୍ରାୟ ୨୦ ବର୍ଷ ତଳର ଏକ ପୁରୁଣା ମାମଲା ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି। ୨୦୦୬ ମସିହାର ଏହି ଚର୍ଚ୍ଚିତ ଘଟଣାରେ ଭିଜିଲାନ୍ସ ତଦନ୍ତ ପାଇଁ କେରଳ ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା ନିର୍ଦ୍ଦେଶ ଦେଇଛନ୍ତି। ୨୦୦୬ରେ ଜ୍ଞାନେଶ କୁମାର କେରଳର ପୂର୍ତ୍ତ ବିଭାଗ ସଚିବ ଥିବା ସମୟରେ ଘଟିଥିବା ଏକ ଅନିୟମିତତାକୁ ନେଇ ଏହି ତଦନ୍ତ କରାଯିବ। ମିଳିଥିବା ସୂଚନା ଅନୁଯାୟୀ, କେରଳ ଷ୍ଟେଟ୍ ଟ୍ରାନ୍ସପୋର୍ଟ ପ୍ରୋଜେକ୍ଟ ଅଧୀନରେ ‘MC Road’ର ଉନ୍ନତୀକରଣ କାମ କରୁଥିବା ଭାରତ-ମାଲେସିଆ ଯୌଥ ସଂସ୍ଥା  ସହ ମାଲେସିଆର ସିଭିଲ୍ ଇଞ୍ଜିନିୟର ଲିସିବିନ୍ ଜଡ଼ିତ ଥିଲେ। ୨୦୦୬ ମସିହାରେ କୁଆଲାଲମ୍ପୁରଠାରେ ଲିସିବିନ୍ ଆତ୍ମହତ୍ୟା କରିବା ପରେ ଏହି ମାମଲା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଆତ୍ମହତ୍ୟା କରିବା ପୂର୍ବରୁ ଲିସିବିନ୍ ଛାଡ଼ିଯାଇଥିବା ନୋଟ୍‌ରେ ତତ୍କାଳୀନ ପୂର୍ତ୍ତ ସଚିବ ଜ୍ଞାନେଶ କୁମାରଙ୍କ ନାଁ ଉଲ୍ଲେଖ ଥିଲା। ସେତେବେଳେ ପ୍ରକଳ୍ପର ବିଲ୍ ମଞ୍ଜୁରୀ ଓ ଅର୍ଥ ପ୍ରଦାନକୁ ନେଇ ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତିର ଅଭିଯୋଗ ଉଠିଥିଲା। ଏହା ପରେ ସେତେବେଳର କେରଳ ସରକାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହି ତଦନ୍ତ ଆଗକୁ ବଢ଼ିପାରି ନଥିଲା। ବର୍ତ୍ତମାନ ଅଭିଯୋଗ ହୋଇଛି ଯେ ବାହ୍ୟ ଚାପ ଯୋଗୁଁ ସେତେବେଳେ ପୁରୁଣା ତଦନ୍ତକୁ ଚପାଇ ଦିଆଯାଇଥିଲା। ଏହି ଅଭିଯୋଗର ସତ୍ୟତା ଯାଞ୍ଚ କରିବା ପାଇଁ ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା ସିଧାସଳଖ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ବିସ୍ତୃତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ସେହି ଆଧାରରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button