ତପୋବନ ମେଳାକୁ ନେଇ ପ୍ରାମାଣିକ ଚଳଚ୍ଚିତ୍ର

କପିଳାସ ତପୋବନ ମହିଳା ମେଳା ଉଦ୍‌ଯାପିତ

ଢେଙ୍କାନାଳ: ଗୁରୁ ମହିମାସ୍ୱାମୀ ଓ ଶିଷ୍ୟ ଗୋବିନ୍ଦ ବାବାଙ୍କ ସହ ନୃସିଂହ ବାବାଙ୍କ ଭେଟର ସ୍ମାରକୀ ସ୍ୱରୂପ କପିଳାସ ତପୋବନ ମହିମା ମେଳା କାର୍ତ୍ତିକ ଶୁକ୍ଳ ଦଶମୀ ତିଥିରେ ତପୋବନ ପୀଠରେ ରୀତିନୀତି ସହ ସମ୍ପନ୍ନ ହୋଇଯାଇଛି। ଏହି ମେଳାରେ ମୁଖ୍ୟତଃ ସନ୍ଥ ଭୀମଭୋଇଙ୍କ ରଚିତ ଭଜନ ও ଜଣାଣ ଆଦିକୁ ନେଇ ପାରମ୍ପରିକ ଖଞ୍ଜଣୀ ଭଜନ ମାଧ୍ୟମରେ ନାମଯଜ୍ଞ, ଅଖଣ୍ଡ ବ୍ରହ୍ମଜ୍ୟୋତି ଓ ଧ୍ୱନିରେ ଅହୋରାତ୍ର ଜଗତର କଲ୍ୟାଣାର୍ଥେ ଘୃତାହୁତି ଜରିଆରେ ଘୃତଯଜ୍ଞ ଏବଂ ଆଗନ୍ତୁକ ସମସ୍ତ ସାଧୁସନ୍ଥ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ଅନ୍ନଯଜ୍ଞର ବ୍ୟବସ୍ଥା କରାଯାଇଥିଲା। ସମଗ୍ର ତପୋବନ ବନଭୂମୀ ଦୀର୍ଘ ତିନିଦିନ ଧରି ଯଜ୍ଞରେ ପ୍ରକମ୍ପିତ ହୋଇଥିଲା। ବର୍ଷା ସତ୍ତ୍ୱେ ଏଥିରେ କୌଣସି ବ୍ୟତିକ୍ରମ ହୋଇନଥିଲା। ତ୍ରିସନ୍ଧ୍ୟା ଯଥା ପ୍ରତ୍ୟୁଷ, ମଧ୍ୟାହ୍ନ ଓ ପ୍ରଦୋଷରେ ଜ୍ୟୋତି ମନ୍ଦିରକୁ ଚନ୍ଦନ, ଅଗୁରୁ ଓ ଗୋମୟ ମିଶ୍ରିତ ଜଳ ମାଧ୍ୟମରେ ଶୁଦ୍ଧି କରାଯାଇ ଚାମର ସେବା ଏବଂ ମହିମା ଭଜନଗାନ ମାଧ୍ୟମରେ ଜ୍ୟୋତି ମନ୍ଦିର ପରିକ୍ରମା କରାଯାଇଥିଲା। ଘଣ୍ଟଘଣ୍ଟା ନାଦ ସହ ମହିମା ଅଲେଖ ଡାକରେ ତପୋବନର ଗଗନ ପବନ ମୁଖରିତ ହୋଇ ଉଠିଥିଲା। ଏହି ଅବସରରେ ଅପରାହ୍ନ ୩ଟାରେ ବାର୍ଷିକ ତପୋବନ ମେଳାର ସ୍ୱତନ୍ତ୍ର ବିଶେଷାଙ୍କ ‘ତପୋବନ’ ପତ୍ରିକାର ଲୋକାର୍ପଣ କୌପିନଧାରୀ ମହିମା ସମାଜର ଧର୍ମାଧ୍ୟକ୍ଷ ଶ୍ରୀମଦ୍ ରଘୁନାଥ ବାବାଙ୍କ ଦ୍ୱାରା କରାଯାଇଥିଲା। ଏଥିନିମନ୍ତେ ଆୟୋଜିତ ଧର୍ମସଭାରେ ତପୋବନ ପତ୍ରିକାର ସମ୍ପାଦକ ପ୍ରଶାନ୍ତ ମହାପାତ୍ର ଅଧ୍ୟକ୍ଷତା କରି ମହିମା ଧର୍ମର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମଦ୍ ରଘୁନାଥ ବାବା ତପୋବନ ପୀଠରେ ମହିମାସ୍ୱାମୀଙ୍କ ୨୪ ବର୍ଷର ଆତ୍ମଯୋଗ ସାଧନା ଓ ତଦୁପରାନ୍ତ ପରିବ୍ରାଜକ ସନ୍ନ୍ୟାସୀ ଭାବେ ୧୪ ବର୍ଷ ଧରି ଆତ୍ମଲବ୍ଧ ଜ୍ଞାନ ମାଧ୍ୟମରେ ଶୂନ୍ୟବ୍ରହ୍ମଙ୍କ ଉପାସନା ସମ୍ପର୍କରେ ନିଜର ୬୪ ସିଦ୍ଧ ସନ୍ନ୍ୟାସୀ ଶିଷ୍ୟଙ୍କୁ ନେଇ ସମଗ୍ର ଭାରତ ବର୍ଷରେ ମହିମା ଧର୍ମ ଦର୍ଶନର ପ୍ରଚାର କରିଥିବା ଉଲ୍ଲେଖ କରିଥିଲେ। ମୁଖ୍ୟବକ୍ତା ତପୋବନ ମହିମା ପୀଠ ନ୍ୟାସ ବୋର୍ଡର ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ ରଥ ମହିମା ଧର୍ମ ଶୂନ୍ୟବାଦର ଧର୍ମ ବୋଲି କହିଥିଲେ।

ଏହି ଧର୍ମ ଏକେଶ୍ୱରବାଦ, ନିରାକାରବାଦ ଓ ପ୍ରକୃତି ଉପାସନାକୁ ବୁଝାଇଥାଏ। ଏହା ସ୍ଥାବର, ଜଙ୍ଗମ, କୀଟପତଙ୍ଗ ଓ ମନୁଷ୍ୟ- ସମସ୍ତଙ୍କ ମଧ୍ୟରେ ସର୍ବତ୍ର ବ୍ରହ୍ମ ଦର୍ଶନର କଥା ବଖାଣିଥାଏ, ଯାହା ସନାତନ ବୈଦିକ ଧର୍ମ ଦ୍ୱାରା ସ୍ୱୀକୃତ ଅଟେ। ସମ୍ମାନିତ ଅତିଥି ଭାବେ ‘ସମ୍ବାଦ’ର ବରିଷ୍ଠ ଅବସରପ୍ରାପ୍ତ କର୍ମଚାରୀ ପ୍ରଦୀପ ଶତପଥୀ ଯୋଗଦେଇଥିଲେ। ଏହି ବାର୍ଷିକ ମେଳାକୁ କରୁଣାକର ବାବା, ଜ୍ଞାନି ବାବା, କନ୍ଦର୍ପ ବାବା, ସନକ ବାବା, ବିନୋଦ ବାବା, ରବି ବାବା, ମହେଶ୍ୱର ବାବା, ନିବାରଣ ବାବା, ଅଲେଖ ବାବା, ବସନ୍ତ ବାବା ଓ ଅରୂପ ବାବା ପ୍ରମୁଖ ପରିଚାଳନା କରିଥିଲେ। ଅନୁଗୋଳ ଗୋତମରା ଗ୍ରାମର ବିଶିଷ୍ଟ ବ୍ୟକ୍ତି ଅଭୟ କୁମାର ସିଂ ଶ୍ରୀମଦ୍ ରଘୁନାଥ ବାବାଙ୍କ ଠାରୁ ଏହି ଦିବସରେ ଆନୁଷ୍ଠାନିକ ଭାବେ ମହିମା ଦୀକ୍ଷା ଗ୍ରହଣ କରିଥିଲେ। ସାୟଂ କାଳରେ ଅଖଣ୍ଡ ବ୍ରହ୍ମଧୂନୀ ସଂସ୍ଥାପନ ପୂର୍ବକ ସେଥିରେ ଘୃତାହୁତି କରାଯାଇଥିଲା ଏବଂ ୨୧ ଶାଖା ବିଶିଷ୍ଟ ଝାଡ଼ବତୀ ପ୍ରଜ୍ଜଳିତ କରାଯାଇ ସେଥିରେ ଘୃତାହୁତି ଦିଆଯାଇଥିଲା। ନାମଯଜ୍ଞରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଅନୁଗୋଳ ଅଙ୍ଗାରବନ୍ଧର ‘ଅଲେଖ ମହିମା ଖଞ୍ଜଣୀ ଭଜନ’ ଦଳ ସହ ବୁଢ଼ାପଙ୍କ ମହିଳା ଭଜନ ମଣ୍ଡଳୀ ମଧ୍ୟ ସାମିଲ ହୋଇଥିଲେ। ଏସ୍.ଏମ୍. କ୍ରିଏସନ୍ ପକ୍ଷରୁ ରାଜ୍ୟ ଓ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମମେକର ମାନସ ପରିଡ଼ାଙ୍କ ତତ୍ତ୍ୱାବଧାନରେ ତପୋବନ ମହିମା ମେଳାର ସମ୍ପୂର୍ଣ୍ଣ ଦୃଶ୍ୟ ଓ ଶ୍ରାବ୍ୟ ରେକର୍ଡିଂ କରାଯାଇଥିଲା। ଓଡ଼ିଶାର ପର୍ବପର୍ବାଣୀ ଶୀର୍ଷକ ପ୍ରଜ୍ଞାପନ ଚିତ୍ରରେ ଏହାକୁ ସ୍ଥାନିତ କରାଯିବ ବୋଲି ଫିଲ୍ମମେକର ମାନସ ପରିଡ଼ା ସୂଚନା ଦେଇଥିଲେ। ଭକ୍ତମାନଙ୍କ ମଧ୍ୟରେ ଅଙ୍ଗାରବନ୍ଧର ବିଜ୍ଞାନ ବେହେରା, ଭକ୍ତ ଅଶୋକ ପ୍ରଧାନ, ପ୍ରଶାନ୍ତ ରାଉତ, କୈଳାସ ବେହେରା ଓ ଧର୍ମାନନ୍ଦ ପୃଷ୍ଟି ପ୍ରମୁଖ ଅନୁଯଜ୍ଞରେ ସହଯୋଗ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button