ସମୁଦ୍ର ମୁହାଣରୁ ଯୁବକ ଉଦ୍ଧାର

ଭୁବନେଶ୍ବର: ମହାନଦୀରେ ଭାସିଯାଇ ସମୁଦ୍ର ମୁହାଣରେ ପହଞ୍ଚି ଯାଇଥିବା ଜଣେ ଯୁବକଙ୍କୁ ଉଦ୍ଧାର କରିଛି ପାରାଦୀପ ମେରାଇନ୍‌ ପୋଲିସ। ବୋଟ୍‌ ଓ ଲାଇଫ୍‌ ବୟ ସାହାଯ୍ୟରେ ପୋଲିସ ଟିମ୍‌ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ସୂଚନା ଅନୁସାରେ, ଯୁବକ ଜଣକ କୌଣସି କାରଣରୁ ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ନଦୀର ପାଣି ସ୍ରୋତ ସହିତ ଭାସି ଭାସି ସେ ସମୁଦ୍ର ମୁହାଣ ନିକଟରେ ପହଞ୍ଚିଥିଲେ। ଏଠାରେ ତାଙ୍କୁ ଅସହାୟ ଅବସ୍ଥାରେ ଦେଖି କେହି ମେରାଇନ୍‌ ପୋଲିସକୁ ସୂଚନା ଦେଇଥିବା ଜଣାପଡ଼ିଛି। ଖବର ପାଇବା ପରେ ମେରାଇନ୍‌ ପୋଲିସର ଏକ ଟିମ୍‌ ତୁରନ୍ତ ବୋଟ୍‌ ଯୋଗେ ଘଟଣାସ୍ଥଳରେ ପହଞ୍ଚିଥିଲା। ଜୀବନ ରକ୍ଷାକାରୀ ଉପକରଣ ଲାଇଫ୍‌ ବୟ ବ୍ୟବହାର କରି ଯୁବକଙ୍କୁ ପାଣିରୁ ବାହାର କରାଯାଇଥିଲା। ଉଦ୍ଧାର ପରେ ତାଙ୍କୁ ତୁରନ୍ତ ଅଠରବାଙ୍କି ହସ୍ପିଟାଲକୁ ନିଆଯାଇଥିଲା।ବର୍ତ୍ତମାନ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି। ତେବେ ସେ କେଉଁ ସ୍ଥାନରୁ ଏବଂ କେଉଁ ପରିସ୍ଥିତିରେ ମହାନଦୀରେ ଭାସି ଯାଇଥିଲେ, ସେନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାର କାରଣ ଜାଣିବା ପାଇଁ ପୋଲିସ ତଦନ୍ତ କରୁଛି। ମେରାଇନ୍‌ ପୋଲିସର ତ୍ୱରିତ ପଦକ୍ଷେପ ଯୋଗୁଁ ଯୁବକଙ୍କ ଜୀବନ ବଞ୍ଚିପାରିଥିବା ବେଳେ ଘଟଣାଟି ପାରାଦୀପ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button