ଭୁବନେଶ୍ବରରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ: ପଦଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଭୁବନେଶ୍ୱରଠାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଐତିହାସିକ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଗ୍ରାମ, ପଞ୍ଚାୟତ, ସହର, ଘର, ବିଦ୍ୟାଳୟ ଓ କାର୍ଯ୍ୟାଳୟରେ ଗୌରବର ସହ ଜାତୀୟ ପତାକା ଉଡ଼ାଇବାକୁ ସେ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଆହ୍ୱାନ କରିଛନ୍ତି। ନିଜ ଅଭିଭାଷଣରେ ସ୍ୱାଧୀନତା ସଂଗ୍ରାମୀ, ବୀର ଶହୀଦ ଏବଂ ଓଡ଼ିଶାର ଅମର ସପୁତମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୧୯୪୨ ଅଗଷ୍ଟ ୯ରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରୁ ଆରମ୍ଭ ହୋଇଥିବା ‘ଭାରତ ଛାଡ଼’ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗଦର୍ଶନ ଦେଇଥିଲା। ସେ ଆହୁରି ମଧ୍ୟ କହିଥିଲେ, ଜାତୀୟ ପତାକା ‘ତ୍ରିରଙ୍ଗା’ କେବଳ ତିନୋଟି ରଙ୍ଗର ସମାହାର ନୁହେଁ; ବରଂ ଏହା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ, ଗୌରବ ଓ ଆକାଂକ୍ଷାର ପ୍ରତୀକ। କେଶରୀ ରଙ୍ଗ ସାହସ ଓ ତ୍ୟାଗ, ଶ୍ୱେତ ରଙ୍ଗ ଶାନ୍ତି ଓ ସତ୍ୟ, ସବୁଜ ରଙ୍ଗ ସମୃଦ୍ଧି ଏବଂ ମଝିରେ ଥିବା ଅଶୋକ ଚକ୍ର ନିରନ୍ତର କର୍ତ୍ତବ୍ୟପଥରେ ଆଗେଇ ଚାଲିବାର ପ୍ରେରଣା ଦିଏ। ଏହି ପବିତ୍ର ଜାତୀୟ ଉତ୍ସବକୁ ପରିବେଶ-ଅନୁକୂଳ କରିବା ପାଇଁ ପ୍ଲାଷ୍ଟିକ୍ ପତାକା ସମ୍ପୂର୍ଣ୍ଣ ବର୍ଜନ କରି କେବଳ କପଡ଼ା ପତାକା ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button