ତାମିଲନାଡୁ ରାଜନୀତିରେ ହଲଚଲ: ଟିଭିକେରେ ମିଶିଲେ ଏଆଇଏଡିଏମକେର ୪ ପୂର୍ବତନ ମନ୍ତ୍ରୀ

ନୂଆଦିଲ୍ଲୀ: ତାମିଲନାଡୁ ରାଜନୀତିରେ ଏଆଇଏଡିଏମ୍କେ (AIADMK)କୁ ପୁଣି ଏକ ବଡ଼ ଝଟ୍କା ଲାଗିଛି। ଦଳର ଆଭ୍ୟନ୍ତରୀଣ କନ୍ଦଳ ଯୋଗୁଁ ଶନିବାର ଚାରି ଜଣ ପୂର୍ବତନ ମନ୍ତ୍ରୀ ତଥା ପ୍ରଭାବଶାଳୀ ନେତା ଆନୁଷ୍ଠାନିକ ଭାବେ ତାମିଲଗା ଭେଟ୍ରି କାଜାଗାମ (TVK)ରେ ଯୋଗ ଦେଇଛନ୍ତି। ଚେନ୍ନାଇସ୍ଥିତ ଟିଭିକେ ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ନେତାମାନେ ଦଳୀୟ ସଦସ୍ୟତା ଗ୍ରହଣ କରିଛନ୍ତି। ଟିଭିକେରେ ସାମିଲ ହୋଇଥିବା ଏଆଇଏଡିଏମ୍କେର ଏହି ବରିଷ୍ଠ ନେତାମାନେ ହେଲେ— ଉଦୁମଲାଇ କେ. ରାଧାକ୍ରିଷ୍ଣନ୍, ଏମ୍.ସି. ସମ୍ପଥ, କଦମବୁର ସି. ରାଜୁ ଏବଂ ଏନ୍.ଆର୍. ଶିବାପଥୀ। ଟିଭିକେ ସାଧାରଣ ସମ୍ପାଦକ ଏନ୍. ଆନନ୍ଦ ଏବଂ ନିର୍ବାଚନ ପ୍ରଚାର ପରିଚାଳନା ସାଧାରଣ ସମ୍ପାଦକ ଆଧବ ଅର୍ଜୁନଙ୍କ ଉପସ୍ଥିତିରେ ଏହି ସମସ୍ତ ନେତା ଶାସକ ଦଳର ପତକା ଧରିଥିଲେ। ରାଜ୍ୟରେ ଏପ୍ରିଲ ୨୩ରେ ଅନୁଷ୍ଠିତ ନିର୍ବାଚନ ପରଠାରୁ ଏଆଇଏଡିଏମକେରେ ভাঙନ ପ୍ରକ୍ରିୟା ଜାରି ରହିଛି। ପୂର୍ବରୁ ଦଳର ୨୫ ଜଣ ବିଦ୍ରୋହୀ ବିଧାୟକ ଦଳୀୟ ହ୍ବିପ୍କୁ ଅମାନ୍ୟ କରି ବିଧାନସଭା ଆସ୍ଥା ଭୋଟ୍ରେ ମୁଖ୍ୟମନ୍ତ୍ରୀ ସି. ଯୋଶେଫ ବିଜୟଙ୍କ ସରକାରଙ୍କୁ ସମର୍ଥନ କରିଥିଲେ। ଏଆଇଏଡିଏମ୍କେ ସାଧାରଣ ସମ୍ପାଦକ ଏଡାପ୍ପାଦି ପଲାନିସ୍ୱାମୀ ଦଳକୁ ସଂଗଠିତ କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ଚାରି ଜଣ ସଦସ୍ୟ ପଦରୁ ଇସ୍ତଫା ଦେଇ ଟିଭିକେରେ ମିଶିଥିଲେ। ସେବେଠାରୁ ଏଆଇଏଡିଏମ୍କେର ଅନେକ ତୃଣମୂଳ ସ୍ତରର କର୍ମକର୍ତ୍ତା ଓ ନେତା କ୍ରମାଗତ ଭାବେ ଦଳ ଛାଡ଼ି ଟିଭିକେ ମୁହାଁ ହେବାରେ ଲାଗିଛନ୍ତି।



