ଆରବିଆଇ ଡାଟା ସେଣ୍ଟରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱର ନିକଟସ୍ଥ ଜଟଣୀ ‘ଇନଫୋ ଭ୍ୟାଲି-୨’ ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ‘ଡାଟା ସେଣ୍ଟର’ ଏବଂ ‘ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ’ର ଉଦଘାଟନ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ରକଳ୍ପ ଓଡ଼ିଶାବାସୀଙ୍କ ସମେତ ସମଗ୍ର ଦେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ସେ ଏହି ପ୍ରକଳ୍ପ ସହ ଜଡ଼ିତ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ସରକାରଙ୍କ ପାଇଁ ବିକାଶର ପ୍ରକୃତ ଅର୍ଥ ହେଉଛି ଗ୍ରାମ ଓ ଛୋଟ ସହରଗୁଡ଼ିକରେ ନୂଆ ସୁଯୋଗ ସୃଷ୍ଟି କରି ସମଗ୍ର ଦେଶରେ ଏକ ସନ୍ତୁଳିତ ବିକାଶ ସୁନିଶ୍ଚିତ କରିବା। ସୁଦୂର ତଥା ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି, ଗରିବ ପରିବାରଗୁଡ଼ିକୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ଏବଂ ଦେଶର ବିକାଶ ଯାତ୍ରାରେ କୌଣସି ନାଗରିକ ଯେପରି ପଛରେ ନ ରହନ୍ତି, ତାହା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଭାରତର ବ୍ୟାଙ୍କିଙ୍ଗ କ୍ଷେତ୍ର ବିଶ୍ୱର ଅନ୍ୟତମ ଦକ୍ଷ ବ୍ୟବସ୍ଥାରେ ପରିଣତ ହୋଇଛି, ଯେଉଁଥିପାଇଁ ଲୋକମାନେ ୨୪ ଘଣ୍ଟା ବ୍ୟାଙ୍କିଙ୍ଗ ସେବା ପାଇପାରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ। ଉତ୍ତର ପ୍ରଦେଶର ବାରଣାସୀ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବା ପରେ ଜଟଣୀ ହେଲିପ୍ୟାଡ୍‌ଠାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କୁ ଉଷ୍ମ ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରାୟ ୧୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଡାଟା ସେଣ୍ଟର ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ତଥ୍ୟର ସୁରକ୍ଷାକୁ ସୁଦୃଢ଼ କରିବା ସହ ଭାରତର ଡିଜିଟାଲ ଆର୍ଥିକ ଭିତ୍ତିଭୂମିକୁ ଆହୁରି ମଜବୁତ କରିବ। ଏହା ରିଜର୍ଭ ବ୍ୟାଙ୍କର ପେମେଣ୍ଟ ଏବଂ ସେଟେଲମେଣ୍ଟ କାର୍ଯ୍ୟ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସିଷ୍ଟମ ପରିଚାଳନାରେ ସହାୟକ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button