ତିନି ରଥର ଚକ ଓ ଅଖ ଡ଼େରା ନୀତି ସମ୍ପନ୍ନ

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ଭଉଁରୀ ଯାତ୍ରା। ଏହି ଅବସରରେ ରଥ ଖଳାରେ ତିନି ରଥର ଚକ ଓ ଅଖ ଡେରା ନୀତି ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ ତିନିଟି ରଥର ଦୁଇ ଦୁଇଟି ଚକରେ ଗୋଟିଏ ଲେଖା ଅଖ ସଂଯୋଗ ହୋଇ ଚକ ଅଖ ଡେରା ନୀତି ସମ୍ପାଦନ କରାଯାଇଛି। ସକାଳ ଧୂପ ସରିବା ପରେ ତିନି ଠାକୁରଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳକୁ ପୂଜାପଣ୍ଡା ସେବାୟତମାନେ ଆଣି ରଥଖଳାରେ ପହଞ୍ଚିଥିଲେ। ଏହାପରେ ଆଜ୍ଞାମାଳକୁ ଚକ ଅଖରେ ଲାଗି କରାଯାଇଥିଲା। ଏହାପରେ ବିଶ୍ବକର୍ମା ମହାରଣା ସେବକମାନେ ପୂର୍ବ ପ୍ରସ୍ତୁତ ଚକ ସହ ଅଖକୁ ସଂଯୋଗ କରିଥିଲେ। ଅନୁକୂଳ ପର୍ବରେ ତିନି ରଥର ତିନୋଟି ଚକଡ଼େରା କାମ ଶେଷ ହୋଇଥିବା ବେଳେ ମହାରଣା ସେବକ ଓ ଭୋଇ ସେବକମାନେ ଏହି କାର୍ଯ୍ୟ ସମ୍ପାଦନ କରିଛନ୍ତି। ପର୍ଯ୍ୟାୟକ୍ରମେ ଅନ୍ୟ ସବୁ ଚକଡେରା କାର୍ଯ୍ୟ ଶେଷ ହେବ।

ଅନ୍ୟପକ୍ଷରେ ମହାପ୍ରଭୁଙ୍କର ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନରେ ଭଉଁରୀ ଯାତ୍ରା ଅନୁଷ୍ଠିତ ହୋଇଥାଏ। ପରମ୍ପରା ଅନୁଯାୟୀ ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ, ସମେତ ଅନ୍ୟ ଦେବାଦେବୀଙ୍କୁ ନେଇ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିଥାନ୍ତି ଠାକୁରମାନେ। ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଚାପ ଖେଳିବା ପରେ ଶ୍ରୀମନ୍ଦିରକୁ ବାହୁଡ଼ିଥାନ୍ତି। ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ଭଉଁରୀଯାତ୍ରା ଅନୁଷ୍ଠିତ ହେଉଛି। ବଡ଼ଦାଣ୍ଡ ଓ ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଏହି ସମୟରେ ସମୁଦାୟ ୫ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୃତୟନ ରହିବେ।

ଅନ୍ୟପକ୍ଷରେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ଗତକାଲି ତିନି ରଥ ପାଇଁ ରଥ ଦଉଡ଼ି ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି। ପୁରୀ ସଦର ବ୍ଲକ୍‌ ଚନ୍ଦନପୁରଠାରେ ଥିବା ଓଡ଼ିଶା ସମବାୟ କତା ନିଗମ କାର୍ଯ୍ୟାଳୟରୁ ଏହି ରଥ ଦଉଡ଼ି ପ୍ରସ୍ତୁତ ହୋଇ ଆସିଛି। ତିନି ରଥ ପାଇଁ ୨୦ଟି ରଥ ଦଉଡ଼ି ବରାଦ ଦିଅଯାଇଥିଲାବେଳେ ପ୍ରଥମ ପର୍ଯ୍ୟାୟରେ ୧୨ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୮ଟି ରଥ ଦଉଡ଼ି ଆସି ପହଞ୍ଚିଛି। ଯେଉଁଥିରେ ତିନି ରଥ ପାଇଁ ୪ଟି ‌ଲେଖାଏଁ ୧୨ଟି ରଥଟଣା ଦଉଡ଼ି ରହିଛି। ଅଘଟଣ ସମୟରେ ଦରକାର ପାଇଁ ଅତିରିକ୍ତ ଦୁଇଟି ରଥ ଦଉଡ଼ିର ବ୍ୟବସ୍ଥା କରାଯାଇଛି। ଏହାବାଦ୍‌ ରଥର ଭିତର କର୍ଡନ୍‌ ପାଇଁ ତିନୋଟି ଓ ବାହାର କର୍ଡନ୍‌ ପାଇଁ ତିନୋଟି ରଥ ଦଉଡ଼ି ଆସି ପହଞ୍ଚିଛି।

Related Articles

Leave a Reply

Your email address will not be published.

Back to top button