ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ଜଳକା: ବାଲେଶ୍ୱରରେ ବନ୍ୟା ବିଭୀଷିକା, ଜଳମଗ୍ନ ତଳିଆ ଅଞ୍ଚଳ

ଭୁବନେଶ୍ବର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର। ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ବର୍ତ୍ତମାନ ଏହା ୧୧.୬୮ ମିଟରରେ ପ୍ରବାହିତ ହେଉଛି। ସେହିପରି ମଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ଏବେ ୬.୬୪ ମିଟର ଜଳ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖାରେ ଏହି ବର୍ଷର ଚତୁର୍ଥ ବନ୍ୟା ଆସିଥିବା ବେଳେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଏବଂ ଭୋଗରାଇ ବ୍ଲକର ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟା ବିଭୀଷିକା ଦେଖାଦେଇଛି। ଜଳ ନିଷ୍କାସନର ଉଚିତ ସୁବିଧା ନଥିବାରୁ ନିକଟରେ ରୁଆ ଯାଇଥିବା ଧାନ ତଳି ସହ ହଜାର ହଜାର ହେକ୍ଟର ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ଲୋକଙ୍କ ଘର ଭିତରେ ବନ୍ୟା ପାଣି ପଶିଯିବା ଯୋଗୁଁ ଧାନ-ଚାଉଳ ସହ ବହୁ ସାମଗ୍ରୀ ନଷ୍ଟ ହୋଇଯାଇଛି। ପ୍ରମୁଖ ରାସ୍ତାଗୁଡ଼ିକ ଉପରେ ୪ରୁ ୫ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଗ୍ରାମବାସୀମାନେ ବାଧ୍ୟ ହୋଇ ଦେଶୀ ଡଙ୍ଗା ଏବଂ କଦଳୀ ଭେଳା ସାହାଯ୍ୟରେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button