ଟ୍ରକ୍‌କୁ ପିଟିଲା ତୀର୍ଥଯାତ୍ରୀ ବସ୍: ୨ ଗୁରୁତର, ୧୦ରୁ ଅଧିକ ଆହତ

ଭୁବନେଶ୍ବର: ଯାଜପୁର ଜିଲ୍ଲା ବଡ଼ଚଣା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଭୋର୍ ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ପଶ୍ଚିମବଙ୍ଗରୁ ପ୍ରାୟ ୫୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଆସୁଥିବା ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା। ଭୋର୍ ସମୟର ନିରବତା ମଧ୍ୟରେ ହଠାତ୍ ହୋଇଥିବା ଏହି ପ୍ରଚଣ୍ଡ ଧକ୍କା ଫଳରେ ବସ୍ ଭିତରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା ଏବଂ ଯାତ୍ରୀଙ୍କ ଚିତ୍କାରରେ ସମଗ୍ର ଅଞ୍ଚଳ ଫାଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ବସ୍‌ରେ ଯାତ୍ରା କରୁଥିବା ୧୦ରୁ ଅଧିକ ତୀର୍ଥଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଥିବା ଜଣାପଡ଼ିଛି। ଖବର ପାଇ ସ୍ଥାନୀୟ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ ଭିତରୁ ଆହତମାନଙ୍କୁ ଉଦ୍ଧାର କରିଥିଲେ ଏବଂ ତୁରନ୍ତ ଚିକିତ୍ସା ନିମନ୍ତେ ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲେ ଅନ୍ୟପକ୍ଷରେ, ଏହି ଅଘଟଣ ପରେ ଜାତୀୟ ରାଜପଥ ଉପରେ ହେଉଥିବା ବେଆଇନ ଗାଡ଼ି ରହଣି ସମସ୍ୟା ପୁଣିଥରେ ଚର୍ଚ୍ଚାକୁ ଆସିଛି। ନିୟମ ଅନୁଯାୟୀ ଜାତୀୟ ରାଜପଥ ଉପରେ ଗାଡ଼ି ରଖିବା ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଥିଲେ ମଧ୍ୟ ଅନେକ ସ୍ଥାନରେ ଭାରୀଯାନ ଓ ଟ୍ରକ୍‌ଗୁଡ଼ିକ ରାସ୍ତାକଡ଼ରେ ମନଇଚ୍ଛା ଛିଡ଼ା ହୋଇ ରହୁଛନ୍ତି। ବିଶେଷକରି ରାତି ଓ ଭୋର୍ ସମୟରେ କୁହୁଡ଼ି କିମ୍ବା ଅନ୍ଧାର ଯୋଗୁଁ ଏହା ଅନ୍ୟ ଗାଡ଼ି ଚାଳକଙ୍କ ପାଇଁ ମରଣଯନ୍ତା ପାଲଟୁଛି। ଏଭଳି ବେଆଇନ ରହଣି ଉପରେ ରୋକ୍ ଲଗାଇବା ପାଇଁ ପରିବହନ ବିଭାଗ ଓ ସମ୍ପୃକ୍ତ ଅଧିକାରୀମାନଙ୍କ ନିୟମିତ ଯାଞ୍ଚ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ସାଧାରଣରେ ଦାବି ଜୋର ଧରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button